ଶିଳ୍ପସଂସ୍ଥାର ପୁନଃରୁଦ୍ଧାର ପାଇଁ ଶିଳ୍ପମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନସ ମାଧ୍ୟମରେ ସମୀକ୍ଷା

0 110

ଭୁବନେଶ୍ୱର,୨୫/୭- ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳଙ୍କ ଅନୁରୋଧକ୍ରମେ ଚୌଦ୍ୱାର ଅଞ୍ଚଳରେ ଦୀର୍ଘଦିନ ଧରି ବନ୍ଦ ହୋଇଥିବା ଶିଳ୍ପସଂସ୍ଥାର ପୁନଃରୁଦ୍ଧାର ନିମନ୍ତେ ମାନ୍ୟବର ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପୌରହିତ୍ୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର, ବୟନଶିଳ୍ପ ହସ୍ତତନ୍ତ ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଇଡକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂହ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀଙ୍କ ସହ ଅନ୍ୟଅଧିକାରୀମାନେ ଯୋଗଦେଇଥିଲେ । ବିଧାୟକ ଶ୍ରୀ ବିଶ୍ୱାଳ ନିଜ ବକ୍ତବ୍ୟରେ ବିଜୁବାବୁଙ୍କ ସ୍ୱପ୍ନର ଶିଳ୍ପାୟନର ପ୍ରତୀକ ଶିଳ୍ପବହୁଳ ଚୌଦ୍ୱାର ଆଜି ଶିଳ୍ପବିହୀନ ହୋଇଥିବାବେଳେ ଟିଏମ ଓ ବଲାରପୁର ଇଣ୍ଡଷ୍ଟ୍ରିଜ ସମେତ ବହୁ ଶିଳ୍ପ ସଂସ୍ଥା ବନ୍ଦ ହୋଇଛି । ଓଟିଏମ କର୍ମଚାରୀମାନେ ପ୍ରାପ୍ୟ ନପାଇ ଦୁର୍ଦ୍ଦିନରେ କାଳାତିପାତ କରୁଥିବାବେଳେ ଏଥିମଧ୍ୟରୁ ବହୁ କର୍ମଚାରୀ ମୃତ୍ୟୁବରଣ କଲେଣି । ଓଟିଏମରେ ଏକ ଟେକଷ୍ଟାଇଲ ପାର୍କ ପ୍ରତିଷ୍ଠା ସହ ଓଟିଏମ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ବଲାରପୁର ଇଣ୍ଡଷ୍ଟ୍ରିଜର ୫୬୧.୮ ଏକର ଜମିରେ ପୁନଶ୍ଚ ଶିଳ୍ପାୟନ ପାଇଁ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରିବା ସହିତ ଜଗତପୁର ପେପସୀ କଂପାନୀରେ କାର୍ଯ୍ୟରତ ୧୦୭ଜଣ କାଜୁଆଲ କର୍ମଚାରୀଙ୍କୁ ବରୁଣ ବେଭେରେଜ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ଅବିଚାରିତ ଭାବେ ୭ମାସ ହେବ ଛଟେଇ କରିଥିବାରୁ କର୍ମଚାରୀମାନଙ୍କ ପରିବାର କୋଭିଡ-୧୯ ଦୁର୍ଦ୍ଦିନ ସମୟରେ ଦୟନୀୟ ସ୍ଥିତିରେ ଗତି କରୁଥିବାରୁ ସେମାନଙ୍କୁ ପୁନଃ ନିଯୁକ୍ତି ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ମାନ୍ୟବର ମନ୍ତ୍ରୀ, ଆଡଭୋକେଟ ଜେନେରାଲ ଓ ଆଇନ ସଚିବଙ୍କ ସହ ଆଲୋଚନା କରି ଓଟିଏମ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବଲାରପୁର ଇଣ୍ଡଷ୍ଟ୍ରିଜ ପୁନଃ କାର୍ଯ୍ୟକ୍ଷମ ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ଶିଳ୍ପ ସଚିବଙ୍କୁ ନିର୍ଦ୍ଦେଶ ପ୍ରଦାନସହ ପେପସୀ ଶ୍ରମିକଙ୍କ ସମସ୍ୟାର ଆଶୁ ସମାଧାନ ପାଇଁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ କ୍ରମାଗତ ଉଦ୍ୟମ ନିମନ୍ତେ ମାନ୍ୟବର ମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଚୌଦ୍ୱାର ଅଞ୍ଚଳରେ ବନ୍ଦ ଶିଳ୍ପ ପୁନଃରୁଦ୍ଧାର ହେବା ଖବର ପାଇ ଜନସାଧାରଣଙ୍କ ମଧ୍ୟରେ ଆଶାର ସଂଚାର ହୋଇଛି ।

hiranchal ad1
Leave A Reply

Your email address will not be published.

2 × 3 =