ସମ୍ବଲପୁର,୨୬/୭ – ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିକାର ଘୋଷଣା ଅନୁସାରେ ୧୭ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ ସୁସ୍ଥ ହୋଇ ଘରକୁ ଫେରିଛି । ଜିଲ୍ଲାର ଏପର୍ଯ୍ୟନ୍ତ ସ୍ଥିତି ଅନୁଧ୍ୟାନରୁ ଜଣାପଡିଛି ଯେ ସମଗ୍ର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ଯାଇ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ୧୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୨୯ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତକାଲି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦୁଇଟି ସାହିରେ ନୂଆ ପଜିଟିଭ ଚିହ୍ନଟ ହୋଇଥିବାରୁ ସେଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ ଓ ସେଗୁଡିକର ଚାରିପଟେ ବଫର ଜୋନ ଘୋଷଣା କରାଯାଇଛି । ଏହାସହିତ କରୋନା ସଂକ୍ରମଣକୁ ଆୟତ୍ତରେ ରଖିବାପାଇଁ ନିଗମାଞ୍ଚଳର ୧୦ଟି ସାହିରେ ଧାରା ୧୪୪ ଜାରି କରାଯାଇଛି । ସମଗ୍ର ଜିଲ୍ଲାରେ ସଟ୍ ଡାଉନ ଘୋଷଣାର ଆଜି ପଞ୍ଚମ ଦିନରେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କ ମାନସିକ ସ୍ଥିତି ଅପରିର୍ବିତ ହୋଇରହିଛି । କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ପ୍ରମୁଖ ସ୍ଥାନମାନଙ୍କରେ ପୁଲିସ ମୁତୟନ କରାଯାଇଛି, କିନ୍ତୁ ଅମାନିଆ ଯୁବକମାନେ ଅକାରଣେ ଏଣେତେଣେ ବୁଲିବା ବନ୍ଦ କରୁନାହାନ୍ତି, ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି ।