ସୋନପୁର,୨୬/୭ – ଅନେକ କଟକଣା ଓ ସଚେତନତା ସତ୍ତେ୍ୱ ଜିଲ୍ଲାରେ ଦିନକୁ ଦିନ କରୋନା ତାର କାୟାବିସ୍ତାର କରିଚାଲିଛି । ଶନିବାର ପୁଣି ଡୁଙ୍ଗୁରିପାଲି ବ୍ଲକରେ ୪ଜଣଙ୍କ ପଜିଟିଭ ରିପୋର୍ଟ ଆସିଥିବା ଜଣାପଡିଛି । ଗତକାଲି ସହଲା ଅଞ୍ଚଳରେ ଜଣଙ୍କ ରିପୋର୍ଟ ପଜିଟିଭ ଥିବାବେଳେ ଆଜିପୁଣି ଉକ୍ତ ଅଞ୍ଚଳ ରୁ ଗୋଟିଏ ପରିବାର ର ୩ଜଣ ସଂକ୍ରମିତ ଚିହ୍ନଟ ପରେ ଉକ୍ତ ବ୍ଲକର ସମସ୍ତ ଆକ୍ରାନ୍ତ ଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି । କରୋନା ସଂକ୍ରମଣ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ପାଇଁ ଲାଗୁ କରାଯାଇଥିବା ସପ୍ତାହନ୍ତ ସଟ ଡାଉନର ପ୍ରଭାବ ଜିଲ୍ଲାରେ ବେଶ ଅନୁଭୂତ ହୋଇଛି । ଶନିବାର ଓ ରବିବାର ସେମିତିରେ ଛୁଟିଦିନ ହେତୁ କୌଣସି ଲୋକ ରାସ୍ତାକୁ ବାହାରି ନଥିଲେ । ଯାନବାହନ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ମଧ୍ୟ ସଟଡାଉନର ପ୍ରଭାବ ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ମୋନିଷା ବାନାର୍ଜୀ ଅଚାନକ କିଛି ଅଞ୍ଚଳ ପରିଦର୍ଶନ କରି ଲକଡାଉନ୍ ପରିସ୍ଥିତିର ତଦାରଖ କରିଥିଲେ । କରୋନା ସଚେତନତା କଟକଣାକୁ ଲୋକମାନେ ଯେପରି ମାନିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପୁଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏଇ ଅଚାନକ ପରିଦର୍ଶନ ସମୟରେ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶ,ଏସଡିପିଓ ମିହିର ପଣ୍ଡା, ଥାନା ଅଧିକାରୀ ଲୋକେଶ୍ୱର ସାହୁପ୍ରମୁଖ ଉପସ୍ଥିତ ଥାଇ ସହରର ବିଭିନ୍ନ ଛକ ମାନଙ୍କରେ ଯାଞ୍ଚକୁ କଡ଼ାକଡ଼ି କରି ଅମାନିଆ ଓ କଟକଣା ଉଲଂଘନକାରୀ ଙ୍କ ଠାରୁ ଜରିମାନା ଆଦାୟ କରିଥିଲେ । ପ୍ରଶାସନର ଏଭଳି କଟକଣାକୁ ସହରବାସୀ ପ୍ରଶଂସା କରି କରୋନା ସଂକ୍ରମଣ ସଂଖ୍ୟାକୁ ରୋକିବା ପାଇଁ ଗାଡିମଟର ଅଚାନକ ଯାଞ୍ଚକୁ ଆହୁରି କଡ଼ାକଡ଼ି କରିବାପାଇଁ ଦାବୀ କରିଛନ୍ତି ।