ଭୁବନେଶ୍ୱର ୨୮ ।୭: କରୋନା ମହାମାରୀର ଭୟବହତା ସମୟରେ ପ୍ଲାଜମା ଥେରାପୀର ସଫଳ ପ୍ରୟୋଗ କରୋନା ଆକ୍ରାନ୍ତଙ୍କୁ ଖୁବଶୀଘ୍ର ସୁସ୍ଥ କରିଦେଉଥିବାରୁ କରୋନା ରୋଗ ରାଜ୍ୟରୁ ଖୁବଶୀଘ୍ର ଅପସରି ଯିବ, ଏଭଳି ଆଶା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟର ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ପ୍ଲାଜମା ଦାନ କ୍ଷେତ୍ରରେ ପ୍ରେରଣା ଯୋଗାଇବା ପାଇଁ ଆହ୍ୱାନ କରିବା ପରେ କରୋନା ରୋଗରୁ ସୁସ୍ଥ ହେଉଥିବା ଅନେକ ସୁସ୍ଥ ବ୍ୟକ୍ତି ଏବେ ପ୍ଲାଜମା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି କ୍ରମରେ ଆଜି କଟକ ଏସସିବି ମେଡିକାଲରୁ କରୋନାରୁ ସୁସ୍ଥ ହୋଇଥିବା ଛତ୍ରପୁରର ଏସଡିପିଓ ଗୌତମ କିଷାନ ପ୍ଲାଜମା ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଏସଡିପିଓ କିଷାନଙ୍କ ସେବା ମନୋବୃତ୍ତିକୁ ପ୍ରଶଂସା କରିଛନ୍ତି ।ଅନ୍ୟ ପକ୍ଷରେ ଆଜି ପ୍ଲାଜମା ନେଇ ଗଞ୍ଜାମରୁ ୩ଜଣ ସୁସ୍ଥ ହୋଇଛନ୍ତି ବୋଲି ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ସୂଚନା ଦେଇଛନ୍ତି । ଏହା ପୂର୍ବରୁ କଟକର ଜଣେ ମହିଳା ମଧ୍ୟ ପ୍ଲାଜମା ନେଇ ସୁସ୍ଥ ହୋଇଥିଲେ । ପ୍ଲାଜମା ଥେରାପୀର ସଫଳତା ଦେଖି ଏବେ ମନ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି ।