ବୌଦ୍ଧ : ସରକାର କୃଷି କୃଷକର ଉନ୍ନତ୍ତି ପାଇଁ ୨୦୧୯ ମସିହାର ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଆରମ୍ଭ କରିଥିଲେ । କ୍ଷୁଦ୍ର ଓ ମଧ୍ୟମ ଚାଷୀ ମାନଙ୍କୁ ବାର୍ଷିକ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଉକ୍ତ ଯୋଜନାରେ ବ୍ୟବସ୍ଥା ଥିଲା । ଅନେକ ଅଯୋଗ୍ୟ ଚାଷୀ ଉକ୍ତ ଯୋଜନାରେ ହିତାଧିକାରୀ ହୋଇଥିବାର ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ସେମାନଙ୍କଠାରୁ ପ୍ରାପ୍ତ ଅର୍ଥ ଫେରସ୍ତ ପାଇଁ ପଦକ୍ଷେପ ନେଇଛନ୍ତି । ବୌଦ୍ଧ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଯୋଗ୍ୟ ହିତାଧିକାରୀମାନଙ୍କ ନିକଟକୁ ଟଙ୍କା ଫେରସ୍ତ ପାଇଁ ନୋଟିସ ଦିଆ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକରୁ ପ୍ରାୟ ୭୦୦, ହରଭଙ୍ଗା ବ୍ଲକରୁ ୪୨୨ଜଣ ଓ କଣ୍ଟାମାଳ ବ୍ଲକରୁ ୪୩୫ଜଣ ଅଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ଟଙ୍କା ଫେରାଇବା ପାଇଁ ନୋଟିସ୍ ଯାଇଛି ।