କ୍ରମାଗତ ଏଗାର ଥର ପାଇଁ ରେପୋ ରେଟ ଅପରିବର୍ତ୍ତିତ

0 65

ନୂଆଦିଲ୍ଲୀ,୮/୪ : କ୍ରମାଗତ ଏକାଦଶ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) । ଆରବିଆଇ ପକ୍ଷରୁ ରେପୋ ରେଟ୍‌ ହାରକୁ ପୂର୍ବଭଳି ୪%ରେ ସ୍ଥିର ରଖାଯାଇଛି । ସେହିପରି ରିଭର୍ସ ରିପୋ ରେଟ(ଆରଆରଆର) ୩.୩୫%ରେ ଅପରିବର୍ତ୍ତିତ ରହିଛି । ଏହାବାଦ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଅର୍ଥାତ ଜିଡିପିକୁ ପୂର୍ବ ଆକଳନ ଅନୁସାରେ ଆରବିଆଇ ହ୍ରାସ କରିଛି । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୨% ଆକଳନ କରାଯାଉଛି । ପୂର୍ବରୁ ଏହା ୭.୮% ହାର ରହିବ ବୋଲି କୁହାଯାଇଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଓ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଛି । ଏଥିଯୋଗୁ ଦେଶର ଅଭିବୃଦ୍ଧି ହାର ହ୍ରାସ କରାଯାଉଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ନୀତି ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାର୍ବଜନୀନ କରିଛନ୍ତି । ସେ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରକୃତ ଜିଡିପି ୭.୨ ରହିବ ବୋଲି ଆକଳନ କରାଯାଇଛି । ୨୦୨୨-୨୩ର ପ୍ରଥମ କ୍ୱାର୍ଟରରେ ୧୬.୨%, ଦ୍ୱିତୀୟରେ ୬.୨%, ତୃତୀୟ କ୍ୱାର୍ଟରରେ ୪.୧% ଓ ୪ର୍ଥ କ୍ୱାର୍ଟର୍‌ରେ ୪% ରହିବାର ଆକଳନ ହୋଇଛି । ଅଶୋଧିତ ତୈଳର ମୂଲ୍ୟ ୧୦୦ ଡଲାରକୁ ବିଚାରକୁ ନେଇ ଏପରି ଆକଳନ କରାଯାଇଛି । ମହାମାରୀର ପ୍ରଭାବରୁ ଭାରତୀୟ ଅର୍ଥନୀତି ଧୀରେଧୀରେ ମୁକୁଳୁଥିବା ମଧ୍ୟ ସେ କହିଛନ୍ତି । ଏହପୂର୍ବରୁ ଜାନୁଆରୀ ଶେଷ ଭାଗରେ ଅର୍ଥନୀତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଦେଶର ଅଭିବୃଦ୍ଧି ହାର ୮ରୁ ୮.୫% ରହିବ ବୋଲି କୁହାଯାଇଥିଲା । ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୫.୭% ପହଞ୍ଚିବାର ସମ୍ଭାବନା ରହିଛି । ପୂର୍ବରୁ ମୁଦ୍ରାସ୍ଫୀତି ୪.୫% ଭିତରେ ରହିବ ବୋଲି ଆକଳନ କରାଯାଇଥିଲା । ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ଅର୍ଥ ଦେଶରେ ଦରବୃଦ୍ଧି ଦେଖିବାକୁ ମିଳିବ ।

hiranchal ad1
Leave A Reply

Your email address will not be published.

17 − five =