ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ମହୁରତ ପୂଜା ସହିତ ନିଜର ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ଘୋଷଣା କରିଛନ୍ତି l ସାଙ୍କେତିକ ଭାବେ ‘ଏମ୍ଏମ୍’ ନାମରେ ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ ଉତ୍କଣ୍ଠା ସୃଷ୍ଟି କରିଥିବା ଏହି ଚଳଚ୍ଚିତ୍ର ଏକ ଅଭିନବ ରୋମାଞ୍ଚକ କମେଡି ଫିଲ୍ମ ଭାବରେ ଓଡ଼ିଆ ସିନେମାର କାହାଣୀରେ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି l ଅମିୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ବର୍ଷା ପଟ୍ଟନାୟକ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି l
‘କର୍ମ’ ର ଅଦ୍ଭୂତପୂର୍ବ ସଫଳତା ପରେ ଏବେ ଅନୁପମ ‘ମନ୍ତ୍ରମୁଗ୍ଧ’ କରିବାକୁ ଯାଉଛନ୍ତି l ୫୦ରୁ ଅଧିକ ଦିନ ଧରି ଆଧିପତ୍ୟ ବଜାୟ ରଖି ସାରା ଦେଶରେ ୮.୫ କୋଟିରୁ ଅଧିକ ଟଙ୍କା ଆୟ କରିଥିବା ‘କର୍ମ’ର ଧାରାକୁ ଆଗେଇ ନେଇ ଅନୁପମ ପୁଣି ଥରେ ସନୋଜ କୁମାର ଓ ମନ୍ମୟ ଦେଙ୍କୁ ପ୍ରମୁଖ ଭୂମିକାରେ ନେବା ସହିତ ଉଦୀୟମାନ ନବାଗତା ସାର୍ଥକ ଭରଦ୍ୱାଜଙ୍କୁ ଏଥିରେ ସ୍ଥାନ ଦେଇଛନ୍ତି l
ଚଳଚ୍ଚିତ୍ର ‘ପ୍ରତୀକ୍ଷା’ରେ ଚମତ୍କାର ଅଭିନୟ କରିଥିବା ଦିପନ୍ଵିତ ଦାଶମହାପାତ୍ର ମଧ୍ୟ ଏଥିରେ ଅଭିନୟ କରୁଛନ୍ତି । ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ସୋମା ହୋତା ଓ ଭକ୍ତି ଦାସ ରହିଛନ୍ତି । ଟେଲି ଅଭିନେତ୍ରୀ ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତଙ୍କୁ ବି ଫିଲ୍ମରେ ନିଆଯାଇଛି ।
