ମୁମ୍ବାଇ:ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ଙ୍କୁ କ୍ଲିନ୍ଚିଟ୍ ମିଳିବା ପରେ ସମୀର ୱାଙ୍ଖଡେ଼ଙ୍କ ପ୍ରତି ଅଡୁଆ ବଢିଛି । ମାମଲାରେ ଉଚିତ୍ ତଦନ୍ତ ହୋଇ ନଥିବାରୁ ସମୀର ୱାଙ୍ଖଡେ଼ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନକଲି ଜାତିଗତ ପ୍ରମାଣ ଦେଇଥିବାରୁ ସୀମରଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍ସିପି ନେତା ନବାବ ମଲ୍ଲିକ ପ୍ରଥମେ ସମୀରଙ୍କ ବିରୋଧରେ ମିଥ୍ୟା ଜାତିଗତ ପ୍ରମାଣପତ୍ର ଅଭିଯୋଗ ଆଣିଥିଲେ । ଆଜି ଏନ୍ସିବି ପକ୍ଷରୁ କରାଯାଇଥିବା ଚାର୍ଜସିଟ୍ ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ପ୍ରତିକ୍ରିୟାରେ ୱାଙ୍ଖଡେ କହିଛନ୍ତି,କ୍ଷମା କରନ୍ତୁ, ମୁଁ କିଛି କହି ପାରିବି ନାହିଁ । ମୁଁ ଏନସିବି ଅଧିକାରୀ ନୁହେଁ, ଏହି ମାମଲାରେ ଏନସିବି ଅଧିକାରୀଙ୍କ ସହ କଥା ହୁଅନ୍ତୁ ବୋଲି ସେ କହିଥିଲେ । ଆର୍ଯ୍ୟନଙ୍କୁ ଏନସିବି ଗତ ବର୍ଷ ଅକ୍ଟୋବର ୨ ତାରିଖରେ ଗିରଫ କରିଥିଲା ।