ନୂଆଦିଲ୍ଲୀ,୨୨/୯ : ମୋତେ ବାରମ୍ବାର ପଚାରନ୍ତୁ ନାହିଁ । ମୁଁ ଆଗରୁ ସ୍ପଷ୍ଟ କରିଦେଇଛି ଆଉ ଏବେ ବି କହୁଛି,ମୁଁ କଂଗ୍ରେସ ସଭାପତି ନିର୍ବାଚନ ଲଢିବି ନାହିଁ । ଗୁରୁବାର କେରଳରେ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ରାହୁଲ ଗାନ୍ଧୀ ଏହା ସ୍ପଷ୍ଟ କରିଛନ୍ତି । ୨୦୧୯ ନିର୍ବାଚନର ପରାଜୟ କାରଣରୁ ସେ ପାର୍ଟି ଅଧ୍ୟକ୍ଷ ପଦ ଛାଡି ଦେଇଥିଲେ । ଏହାପରେ କୌଣସି ଅଣଗାନ୍ଧୀ ଲୋକ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳନ୍ତୁ ବୋଲି ସେ କହି ଆସୁଛନ୍ତି । ହେଲେ ରାହୁଲଙ୍କୁ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ଅନୁରୋଧ କରିଆସୁଛନ୍ତି କଂଗ୍ରେସ କର୍ମୀ ଓ ନେତା । ଗତ ୩ ବର୍ଷ ହେଲା କଂଗ୍ରେସର ତମାମ୍ ବରିଷ୍ଠ ନେତା ରାହୁଲଙ୍କୁ ମନେଇବାରେ ଲାଗିଛନ୍ତି । ହେଲେ ରାହୁଲ ତାଙ୍କ ନିଷ୍ପତ୍ତିରେ ଅଟଳ । ଗୁରୁବାର ରାହୁଲ ଅଧ୍ୟକ୍ଷ ପଦକୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତରରେ କହିଥିଲେ, ମୁଁ ମୋ ପୁରୁଣା କଥାରେ କାଏମ୍ ଅଛି । ମୁଁ ଅନେକ ଥର ଏହି କଥାକୁ ଦୋହରେଇ ସାରିଲିଣି । କଂଗ୍ରେସ ଅଧ୍ୟକ୍ଷ ପଦ ଏକ ଐତିହାସିକ ପଦ । ତା ସହିତ ଏହା ଏକ ବୈଚାରିକ ପଦ ମଧ୍ୟ । ତେଣୁ ଯିଏ କଂଗ୍ରେସ ଅଧ୍ୟକ୍ଷ ହେବେ, ସେ କଂଗ୍ରେସର ବିଶ୍ୱାସ ଓ ବିଚାରଧାରାର ପ୍ରତିନିଧିତ୍ୱ କରିବେ । ଅନ୍ୟପଟେ ଜଣେ ବ୍ୟକ୍ତି ଗୋଟିଏ ପଦକୁ ନେଇ ରାହୁଲ ଗାନ୍ଧୀଙ୍କୁ ଆଜି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ରାହୁଲ କହିଥିଲେ ଯେ,ଉଦୟପୁରରେ ଯାହା ନିଷ୍ପତ୍ତି ହେଇଛି, ତାକୁ ସମସ୍ତେ ପାଳନ କରିବେ । କଂଗ୍ରେସରେ ହିଁ ଅଧ୍ୟକ୍ଷ ପଦ ନିର୍ବାଚନ ହୁଏ, ଯାହାକି ଅନ୍ୟ କୌଣସି ପାର୍ଟିରେ ହୁଏନି ବୋଲି ରାହୁଲ କହିଛନ୍ତି ।
ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଆଜି ଅଧିସୂଚନା ଜାରି କରାଯାଇଛି । ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ । ଏହାପରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବା ସହିତ ନାମାଙ୍କନ ଫେରସ୍ତ ଓ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ । ଏହାର ଫଳାଫଳ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଘୋଷଣା କରାଯିବ । ତେବେ କିଏ କିଏ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବେ, ତାକୁ ନେଇ ମଧ୍ୟ ସସପେନ୍ସ ଜାରି ରହିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହିତ ପାର୍ଟିର ବରିଷ୍ଠ ନେତା ଶଶୀ ଥରୁର, ସାଂସଦ ମନୀଷ ତିୱାରୀ ଏହି ରେସରେ ଅଛନ୍ତି ।
Sign in
Sign in
Recover your password.
A password will be e-mailed to you.