ନୂଆଦିଲ୍ଲୀ: ଦେଶର ପ୍ରାୟ ୨୫ ହଜାର ନ୍ୟାୟିକ ଅଧିକାରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସେମାନଙ୍କୁ ମିଳିବ ବର୍ଦ୍ଧିତ ବେତନ । ୧ ଜାନୁଆରୀ ୨୦୧୬ରୁ ବଢିଥିବା ବେତନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ତିନୋଟି କିସ୍ତିରେ ଲାଗୁ ବକେୟା ଏରିଅର ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ପ୍ରଥମ ତିନି ମାସ ମଧ୍ୟରେ ୨୫ ପ୍ରତିଶତ ବକେୟା ଦିଆଯିବ । ଏହାର ତିନି ମାସ ମଧ୍ୟରେ ୨୫ ପ୍ରତିଶତ ବକେୟା ଦରମା ୩୦ ଜୁନ ୨୦୨୩ ସୁଦ୍ଧା ମିଳିପାରିବ । ଏହାପୂର୍ବରୁ ତେଲେଙ୍ଗାନାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟ ବିଚାରପତି ଏନଭି ରମଣ କହିଥିଲେ ଯେ ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ବିତ୍ତୀୟ କଲ୍ୟାଣ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ । ଖୁବଶୀଘ୍ର ବେତନ ଆୟୋଗ ସମ୍ବନ୍ଧିତ ପ୍ରସଙ୍ଗରେ ନ୍ୟାୟିକ ଅଧିକାରୀଙ୍କୁ ଖୁସି ଖବର ମିଳିବ । ସପ୍ତମ ବେତନ ଆୟୋଗଙ୍କ ସୁପାରିଶକ୍ରମେ କେନ୍ଦ୍ର ସରକାରଙ୍କ କର୍ମଚାରୀ (୧ ଜାନୁଆରୀ ୨୦୧୬) ବର୍ଦ୍ଧିତ ବେତନ ଲାଗୁ ହେବ । ଗତ ୨୦୦୬ରେ ଜିଲ୍ଲା ନ୍ୟାୟପାଳିକାଙ୍କ ନ୍ୟାୟାଧୀଶଙ୍କ ବେତନ ସଂଶୋଧନ କରାଯାଇଥିଲା । ଏହାପରେ ନ୍ୟାୟାଳୟ ନ୍ୟାୟପାଳିକାଙ୍କ ବେତନ,ସେବା,ସର୍ତ୍ତ ଆଦିର ସମୀକ୍ଷା କରି ୨୦୧୭ରେ ଦ୍ୱିତୀୟ ରାଷ୍ଟ୍ରୀୟ ନ୍ୟାୟିକ ବେତନ ଆୟୋଗର ଗଠନ କରିଥିଲେ ।