ଚୀନକୁ ଚେତାଇଦେବା ପାଇଁ ବଳିଷ୍ଠ ପଦକ୍ଷେପ :
ସୀମାରେ ଗର୍ଜିଲା ଭାରତର ଯୁଦ୍ଧ ବିମାନ

0 65

ନୂଆଦିଲ୍ଲୀ : ତୱାଙ୍ଗ ସଂଘର୍ଷ ଘଟଣା ପରଠୁ ଭାରତ ଆଉ କୌଣସି କଥାକୁ ହାଲକାଭାବେ ନେଉନାହିଁ । କାରଣ ଚୀନ ପୁନର୍ବାର ଏଭଳି ବଦମାସୀ କରିପାରେ । ଏହାକୁ ଆଖି ଆଗରେ ରଖି ଭାରତ ସୀମାନ୍ତରେ ତା’ର ସେନା ସ୍ଥିତି ଆହୁରି ମଜବୁତ କରିଛି । ଚୀନକୁ ପାନେ ଦେବା ପାଇଁ ଭାରତ ସବୁପ୍ରକାର ବ୍ୟବସ୍ଥା କରୁଛି । ଚୀନ ଯେପରି ଆଗକୁ ଆଉ କୌଣସି ଦୁଃସାହସ ନକରେ,ସେଥିପାଇଁ ଭାରତ ସୀମାନ୍ତରେ ଜୋରଦାର ସମରାଭ୍ୟାସ କରିଛି । ଆଜି ହୋଇଛି ଏହି ସମରାଭ୍ୟାସ । ଆଜି ଚୀନ ସୀମାରେ ଗର୍ଜିଛି ଭାରତ ବାୟୁସେନାର ସୁଖୋଇ, ରାଫେଲ ସମେତ ଫ୍ରଣ୍ଟଲାଇନ୍‌ ଲଢୁଆ ବିମାନ । ତିବ୍ଦତ ନିକଟ ଏଲଏସି ନିକଟରେ ଭାରତୀୟ ବାୟୁସେନା ଆଜିଠୁ ଦୁଇ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ସୀମାରେ ଦାଦାଗିରି ଦେଖାଉଥିବା ଡ୍ରାଗନ ସେନାକୁ ତାହାରି ଭାଷାରେ ଜବାବ ଦେବାକୁ ଯୋଜନା କରିଛି ଭାରତୀୟ ବାୟୁସେନା । ଚୀନ୍‌ ସେନା ବିରୋଧରେ ଆଜିଠୁ ଭାରତ-ତିବ୍ଦତ ସୀମାରେ ସମାରଭ୍ୟାସ ଆରମ୍ଭ ହୋଇଛି, ଯାହା ଦୁଇ ଦିନ ଧରି ଚାଲିବ । ଯେଉଁଥିରେ ଏୟାରଫୋର୍ସର ଲଢୁଆ ବିମାନ, ହେଲିକପ୍ଟର ଓ ପରିବହନ ବିମାନ ସାମିଲ ହେବେ । ବଡକଥା ହେଉଛି, ଏବେ ସୀମାରେ ହଟସ୍ପଟ ପାଲଟିଥିବା ଅଂଚଳରେ ଏହି ସାମରିକ ଅଭ୍ୟାସ କରିବ ଭାରତ । ଏହାଦ୍ୱାରା ଭାରତୀୟ ବାୟୁସେନା ନିଜ ଶକ୍ତି ଓ ସାମର୍ଥ୍ୟକୁ ପରଖିବ ଏବଂ ସୀମାରେ ଉତ୍ପାତ କରୁଥିବା ଚୀନକୁ ମଧ୍ୟ କଡା ସନ୍ଦେଶ ମିଳିବ । ତୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନ୍ୟଙ୍କ ଗଣ୍ଡଗୋଳ ପରେ ଏହି ଯୁଦ୍ଧାଭ୍ୟାସର ଗୁରୁତ୍ୱ ବଢିଯାଇଛି । ଏହି ଯୁଦ୍ଧାଭ୍ୟାସର ମୂଳ ଉଦ୍ଦେଶ୍ୟ, ଜରୁରୀ ପରିସ୍ଥିତିରେ ବାୟୁସେନା କେତେ ଶୀଘ୍ର ଶତ୍ରୁପକ୍ଷର ଆକ୍ରମଣକୁ ପ୍ରତିହତ କରି ପାଲଟା ଆକ୍ରମଣ କରିପାରିବ, ସେହି କ୍ଷମତାର ପରୀକ୍ଷଣ । ଏଥିରେ ପୂର୍ବୋତ୍ତର ଅଂଚଳର ସମସ୍ତ ଫ୍ରଂଟଲାଇନ ଏୟାରବେସ ଓ ପ୍ରମୁଖ ଆଡଭାନସ ଲାଣ୍ଡିଙ୍ଗ ଗ୍ରାଉଣ୍ଡ ବ୍ୟବହାର କରିବ ବାୟୁ ସେନା । ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ, ଏୟାରଫୋର୍ସର ଏହି ସମରାଭ୍ୟାସ ଚାବୁଆ, ହାସିମାରା, ଜୋରହାଟ ଓ ତେଜପୁର ଏୟାରବେସରେ ହେଉଛି । ଏହି ଡ୍ରିଲକୁ ପରିଚାଳନା କରୁଛି ଇଷ୍ଟର୍ଣ୍ଣ କମାଣ୍ଡ । ଯାହାର ଦାୟିତ୍ୱ ଚୀନ, ବାଂଲାଦେଶ, ମିଆଁମାର ସୀମାକୁ ସୁରକ୍ଷିତ ରଖିବା । ତୱାଙ୍ଗ ସେକ୍ଟରରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ ବିଫଳ କରିବା ପରେ ଭାରତର ଯୁଦ୍ଧାଭ୍ୟାସ ଚୀନ ପାଇଁ କଡା ସନ୍ଦେଶ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

7 − 4 =