ଡିଜିସିଏ କଟକଣା : ୨ ମାସ ପାଇଁ ଉଡ଼ିପାରିବନି ସ୍ପାଇସଜେଟ୍‌ର ଅଧା ବିମାନ

0 71

ନୂଆଦିଲ୍ଲୀ : ବାରମ୍ବାର ତ୍ରୁଟି ଦେଖାଯିବା ପରେ ଘରୋଇ ବିମାନ ସେବା କମ୍ପାନି ସ୍ପାଇସଜେଟ୍‌ ଉପରେ କେତେକ କଟକଣା ଲଗାଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) । କମ୍ପାନିର ଅର୍ଦ୍ଧେକ ବିମାନ ଉଡ଼ାଣ ଉପରେ ଦୁଇ ମାସ ପାଇଁ କଟକଣା ଲଗାଯାଇଛି । କମ୍ପାନିର ନିରାପତ୍ତା ମାନଦଣ୍ଡରେ ଅବନତି ଦେଖାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଭିନ୍ନ ପ୍ରକାର ଯାଞ୍ଚ ଏବଂ ସ୍ପାଇସଜେଟ୍‌ ଦ୍ୱାରା ଦାଖଲ ହୋଇଥିବା କାରଣଦର୍ଶାଅ ନୋଟିସର ଉତ୍ତରକୁ ଦୃଷ୍ଟିରେ ରଖି ନିରାପଦ ତଥା ନିର୍ଭରଯୋଗ୍ୟ ବିମାନ ପରିବହନ ସେବା ପାଇଁ ସ୍ପାଇସଜେଟର ପ୍ରସ୍ଥାନ ସଂଖ୍ୟା ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ । ଏହି କଟକଣା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ଏପ୍ରିଲ ୧ରୁ ଜୁଲାଇ ୫ ମଧ୍ୟରେ ସ୍ପାଇସ ଜେଟ ବିମାନରେ ବାରମ୍ବାର ତ୍ରୁଟି ଦେଖାଯିବା ପରେ ତାହାକୁ ନେଇ ଯାତ୍ରୀଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଚିନ୍ତା ପ୍ରକଟ କରିଥିଲେ । ଏପରିକି ଗତ ୧ ମାସ ମଧ୍ୟରେ ଏହି କମ୍ପାନିର ଫ୍ଲାଇଟଗୁଡ଼ିକରେ ୯ ଥର ତ୍ରୁଟି ଦେଖାଯାଇଥିଲା । ଗତ ଜୁନ ମାସ ୧୯ ତାରିଖରେ ପାଟନାରୁ ଦିଲ୍ଲୀଯାଉଥିବା ଏକ ବିମାନର ଏକ ଡେଣାରେ ନିଆଁ ଲାଗିଯିବାରୁ ତାହାର ଜରୁରୀକାଳୀନ ଅବତରଣ କରାଯାଇଥିଲା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡେ଼ଇ ଦିଆଯାଇଥିଲା । ସେହିପରି ଜୁଲାଇ ୫ରେ ମୁମ୍ବାଇଠାରେ ସ୍ପାଇସଜେଟର ଏକ ବିମାନର ଆଗ କାଚ ଫାଟିଯାଇଥିଲା । ଗତ ବର୍ଷ ଅକ୍ଟୋବର ମାସରେ ବି ଏହି କମ୍ପାନି ଉପରେ ୧ ମାସ ପାଇଁ କଟକଣା ଲଗାଯାଇଥିଲା ।

hiranchal ad1
Leave A Reply

Your email address will not be published.

5 × two =