ମୁମ୍ବାଇ: ପ୍ରଫେଟ ମହମ୍ମଦଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଥିବା ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ସଙ୍କଟ ବଢିବାରେ ଲାଗିଛି । ତାଙ୍କ ବିବୃତି ରେକର୍ଡ କରିବାକୁ ଆସନ୍ତା ୨୨ରେ ହାଜର ହେବା ପାଇଁ ଆଜି ମହାରାଷ୍ଟ୍ର ପୁଲିସ ସମନ ଜାରି କରିଛି । ସଂଖ୍ୟାଲଘୁଙ୍କ ବିରୋଧରେ ଅପମାନସୂଚକ ଓ ଅଶାଳୀନ ମନ୍ତବ୍ୟ ଦେବା ପରେ ବିଜେପି ରବିବାର ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଥିଲା ଏବଂ ଦିଲ୍ଲୀର ଗଣମାଧ୍ୟମ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରିଥିଲା । ଏହି ମାମଲାରେ ଦକ୍ଷିଣ ମୁମ୍ବାଇର ପିଧୋନି ପୁଲିସ ରଜା ଏକାଡେମୀର ମୁମ୍ବାଇ ୱିଙ୍ଗର ଯୁଗ୍ମ ସଚିବ ଇରଫାନ ଶେଖଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ନୂପୁର ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା ।