ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି : ମୋଦୀ

0 68

ନୂଆଦିଲ୍ଲୀ: ଆଇନଗତ ସହାୟତା ପାଇଁ ବିଭିନ୍ନ ଜେଲ୍‌ରେ ହଜାର ହଜାର ବିଚାରାଧୀନ କଏଦୀ ଅପେକ୍ଷା କରି ରହିଛନ୍ତି । ସେମାନଙ୍କ ମୁକ୍ତି ଦିଗରେ ନ୍ୟାୟପାଳିକା ତତ୍ପର ହେଉ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆଜି ଆୟୋଜିତ ପ୍ରଥମ ‘ଅଲ୍‌ ଇଣ୍ଡିଆ ଡିଷ୍ଟ୍ରିକ୍ଟ୍‌ ଲିଗାଲ୍‌ ସର୍ଭିସେସ୍‌ ଅଥରିଟିଜ୍‌ ମିଟ୍‌’ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,ଅନାୟାସ ବିଚାର ମିଳିବା ମଧ୍ୟ ଅନାୟାସରେ ବ୍ୟବସାୟ କରିବା ଏବଂ ଅନାୟାସରେ ବଞ୍ଚିବା ଭଳି ଗୁରୁତ୍ୱପୂର୍ଣ୍ଣ । ଆଇନଗତ ସହାୟତା ପାଇଁ କାରାଗାରରେ ଅନେକ ବିଚାରାଧୀନ କଏଦୀ ଅଛନ୍ତି । ବିଚାରାଧୀନ କଏଦୀମାନଙ୍କୁ ନ୍ୟାୟିକ ସହାୟତା ଯୋଗାଇଦେବା ଦାୟିତ୍ୱ ଆମ ‘ଡିଷ୍ଟ୍ରିକ୍ଟ୍‌ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି’ମାନେ ଗ୍ରହଣ କରିପାରିବେ । ଆପଣା କାର୍ଯ୍ୟାଳୟକୁ ‘ଜିଲ୍ଲାସ୍ତରୀୟ ବିଚାରାଧୀନ କଏଦୀ ସମୀକ୍ଷା କମିଟି’ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଭାବେ ବ୍ୟବହାର କରି ବିଚାରାଧୀନ କଏଦୀମାନଙ୍କ ମୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରାଇବା ପାଇଁ ଜିଲ୍ଲା ଜଜ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ଭାରତର ନ୍ୟାୟିକ ଭିତ୍ତିଭୂମି ତ୍ୱରାନ୍ୱିତ କରାଯିବା ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସମାଜର ଯେକୌଣସି ବର୍ଗଙ୍କ ପାଇଁ ବିଚାର ବିଭାଗର ଉନ୍ମୁକ୍ତତା ଯେତିକି ଗୁରୁତ୍ୱପୂର୍ଣ୍ଣ, ବିଚାର ପାଇବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ନ୍ୟାୟିକ ଭିତ୍ତିଭୂମିର ଅବଦାନ ଅତି ଗୁରୁତ୍ୱପୂର୍ଣ୍ଣ । ଭାରତରେ ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି ଗତ ୮ ବର୍ଷ ହେବ ଦ୍ରୁତ ବେଗରେ କାର୍ଯ୍ୟ ଚାଲିଛି । ଇ-କୋର୍ଟସ୍‌ ମିସନ୍‌ ଜରିଆରେ ଭାରତରେ ଭର୍‌ଚ୍ୟୁଆଲ୍‌ ଅଦାଲତ ଆରମ୍ଭ ହୋଇଛି । ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବା ଭଳି ଅପରାଧ ପାଇଁ ୨୪ଘଣ୍ଟିଆ ଅଦାଲତ ଆରମ୍ଭ ହୋଇଛି । ଅଦାଲତରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଭିତ୍ତିଭୂମି ମଧ୍ୟ ସମ୍ପ୍ରସାରିତ ହେଉଛି ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 + six =