ପେଲୋସୀଙ୍କ ତାଇୱାନ ଗସ୍ତକୁ ନେଇ ବଢିଲା ଉତ୍ତେଜନା :
ଆମେରିକା-ଚୀନ ମୁହାଁମୁହିଁ,ଆକ୍ରମଣ ଧମକ ଦେଲା ବେଜିଂ

0 70

ନୂଆଦିଲ୍ଲୀ,୩/୮: ଋଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନଥିବା ବେଳେ ଏବେ ଆଉ ଏକ ଯୁଦ୍ଧର ଆଶଙ୍କା ମୁଣ୍ଡ ଟେକିଛି । ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇୱାନ ଗସ୍ତକୁ ନେଇ ଦୁଇ ମହାଶକ୍ତି ଚୀନ ଓ ଆମେରିକା ଏବେ ମୁହାଁମୁହିଁ । ଆମେରିକା ଉପରେ ରାଗ ଶୁଝାଇବା ପାଇଁ ଚୀନ ଯେକୌଣସି ସମୟରେ ତାଇୱାନ ଉପରେ ଆକ୍ରମଣ କରିପାରେ । ଯଦି ଏହା ହୁଏ,ପ୍ରାରମ୍ଭରେ ତିନୋଟି ଦେଶ ଯୁଦ୍ଧରେ ଲିପ୍ତ ରହିବେ । ସେମାନେ ହେଲେ ଚୀନ,ତାଇୱାନ ଓ ଆମେରିକା । କାରଣ,ତାଇୱାନ ଉପରେ ଆକ୍ରମଣ ହେଲେ ଆମେରିକା ତାଇୱାନକୁ ସମର୍ଥନ କରି ଚୀନକୁ ପ୍ରତିହତ କରିବା ପାଇଁ ଆଗେଇ ଆସିବାକୁ ପଛାଇବ ନାହିଁ ବୋଲି ଘୋଷଣା କରିସାରିଛି । ବର୍ତ୍ତମାନ ଏହି ତାଜା ଘଟଣାପ୍ରବାହକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଓ ଏକପ୍ରକାର ଆତଙ୍କିତ । ଚୀନ କହିଛି ଯେ ଆମେରିକା ନିଆଁ ସହିତ ଖେଳୁଛି । ଏହାର ପରିଣାମ ତାକୁ ଭୋଗିବାକୁ ପଡ଼ିବ । ଇତିମଧ୍ୟରେ ଚୀନ ତାଇୱାନ ବିରୋଧରେ କେତେକ କଟକଣା ମଧ୍ୟ ଲାଗୁ କରିଦେଇଛି । ତାଇୱାନରୁ ଫଳ ଓ ମାଛ ଆମଦାନୀ ଉପରେ କଟକଣା ଲଗାଯାଇଛି । ସେହିପରି,କେତେକ ସାମଗ୍ରୀର ରତ୍ପାନୀକୁ ମଧ୍ୟ ବନ୍ଦ କରିଦେଇଛି ଚୀନ । ଅପରପଟେ,ପେଲୋସୀ ତାଙ୍କର ଗସ୍ତ ଶେଷ କରି ସ୍ୱଦେଶ ଫେରିଯାଇଛନ୍ତି ।
ଚୀନ୍‌ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ତାଇୱାନ୍‌ ଦ୍ୱୀପ ଚାରିପଟେ ସମରାଭ୍ୟାସ ବୃଦ୍ଧି କରିଛି । ସେପଟେ ପ୍ରଶାନ୍ତ ମହାସାଗରରେ ଆମେରିକାର ନୌସେନା ଦ୍ୱାରା ପରିଚାଳିତ ବିଶ୍ୱର ସର୍ବବୃହତ ନୌସେନା ଅଭ୍ୟାସ ଚାଲିଛି । ଏଥିରେ ଆମେରିକା ସହିତ ୨୬ଟି ଦେଶର ନୌସେନା ଏହି ଅଭ୍ୟାସରେ ଭାଗ ନେଉଛନ୍ତି । ଏହି ଅଭ୍ୟାସରେ ଭାରତର ନୌସେନା ଏବଂ ସ୍ୱତନ୍ତ୍ର ବାହିନୀ ମଧ୍ୟ ଭାଗ ନେଇଛନ୍ତି । ଉଲ୍ଲେଖଥାଉ କି, ଏହି ଅଭ୍ୟାସ ପ୍ରଶାନ୍ତ ମହାସାଗରରେ ଗତ ୪୦ ବର୍ଷ ମଧ୍ୟରେ ପ୍ରତି ଦୁଇ ବର୍ଷରେ ହେଉଥିବାବେଳେ ଏଥିରେ ଆମେରିକା ଏବଂ ଆମେରିକାର ସହଯୋଗୀ ନୌସେନା ଅଂଶଗ୍ରହଣ କରୁଛନ୍ତି । କିନ୍ତୁ ଚୀନ୍‌-ତାଇୱାନ ବିବାଦ କାରଣରୁ ଚଳିତ ବର୍ଷ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏହି ନୌସେନା ଅଭ୍ୟାସରେ ସମୁଦାୟ ୩୮ଟି ଯୁଦ୍ଧ ଜାହାଜ, ତିନୋଟି ବୁଡ଼ାଜାହାଜ, ୩୦ରୁ ଅଧିକ ୟୁଏଭି,୧୭୦ଟି ସାମରିକ ବିମାନ ଏବଂ ୨୫୦୦୦ ସୈନିକ ଭାଗ ନେଇଛନ୍ତି । ଏଥିରେ ଅଂଶଗ୍ରହଣ କରୁଥିବା ୧୧ଟି ଦେଶ ଏସିଆର ହୋଇଥିବାବେଳେ ପାଞ୍ଚଟି ୟୁରୋପର,ଚାରିଟି ଦକ୍ଷିଣ ଆମେରିକାର,ତିନୋଟି ଉତ୍ତର ଆମେରିକାର ଏବଂ ତିନୋଟି ଓସେନିଆର ବୋଲି ଜଣାପଡିଛି । ପ୍ରମୁଖ ଦେଶ ମଧ୍ୟରେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ଜାପାନ, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ମାଲେସିଆ, ନ୍ୟୁଜିଲ୍ୟାଣ୍ଡ, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ, ମେକ୍ସିକୋ ଏବଂ ପେରୁ ରହିଛନ୍ତି । ଭାରତୀୟ ନୌସେନାର ଏକ ଗାଇଡେଡ଼ ମିସାଇଲ୍‌ ଯୁଦ୍ଧ ଜାହାଜ ଆଇଏନଏସ ସତପୁରା ମଧ୍ୟ ସାମିଲ ହୋଇଛି ।
ଚୀନ୍‌କୁ ଉଦ୍ଦେଶ୍ୟ କରି ତାଇୱାନ୍‌ର ରାଷ୍ଟ୍ରପତି ସାଇ ଇଙ୍ଗ୍‌-ୱେନ୍‌ କହିଛନ୍ତି ଯେ, ଆମେ ଆତ୍ମସମର୍ପଣ କରିବୁ ନାହିଁ । ପେଲୋସି ତାଇୱାନର ରାଜଧାନୀ ତାଇପେଇରେ ପହଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ତାଇୱାନର ରାଷ୍ଟ୍ରପତି ନାନସିଙ୍କୁ ସ୍ୱାଗତ କରିଛନ୍ତି । ବାୟୁସେନା ଏବଂ ନୌସେନାର ୨୪ ଅତ୍ୟାଧୁନିକ ଯୁଦ୍ଧ ବିମାନ ନାନସିଙ୍କ ବିମାନକୁ ଏସ୍କର୍ଟ କରି ରାଜଧାନୀ ପର୍ଯ୍ୟନ୍ତ ନେଇଥିଲେ । ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ନିକଟରେ କହିଥିଲା ଯେ, ପେଲୋସିଙ୍କ ବିମାନ ଯଦି ତାଇୱାନ ଅଭିମୁଖେ ଯାଏ ତେବେ ତାକୁ ଉଡାଇ ଦିଆଯିବ । ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗତ ୩୦ ତାରିଖରେ ଚୀନ ପ୍ରତିପକ୍ଷ ଚେତାବନୀ ଦେଇଥିଲା । ତାସତ୍ତେ୍ୱ ପେଲୋସି ତାଇୱାନ ଗସ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − eighteen =