ଫ୍ଲୋର୍‌ ଟେଷ୍ଟ୍‌ରେ ସିନ୍ଦେ ପାସ୍‌

0 75

ମୁମ୍ବାଇ,୪/୭ : ହାତରୁ କ୍ଷମତା ଯିବା ପରଠୁ ଶିବ ସେନା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସଫଳତା ପରେ ସଫଳତା ମିଳିଚାଲିଛି । ପ୍ରତ୍ୟେକ ପରୀକ୍ଷାରେ ସେ ପାସ୍‌ କରୁଛନ୍ତି । ଗତକାଲି ବାଚସ୍ପତି ନିର୍ବାଚନରେ ସିନ୍ଦେ ସରକାର ପାସ୍‌ କରିଥିବା ବେଳେ ଆଜି ସବୁଠୁ ଗୁୁରୁତ୍ୱପୂର୍ଣ୍ଣ ଆସ୍ଥା ଭୋଟରେ ମଧ୍ୟ ପାସ୍‌ କରିଛନ୍ତି । ଆଜି ଥିଲା ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ଦିନ ଏବଂ ଏହି ଫ୍ଲୋର ଟେଷ୍ଟ ବା ଆସ୍ଥା ଭୋଟରେ ସରକାର ବିଜୟୀ ହୋଇଛନ୍ତି । ସରକାର ସପକ୍ଷରେ ୧୬୪ ଭୋଟ୍‌ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୯୯ଟି ଭୋଟ ପଡ଼ିଥିଲା । ଆଜି ପୂର୍ବାହ୍ନ ସାଢେ ୧୦ଟାରେ ସଂଖ୍ୟାଗରିଷ୍ଠତା (ଫ୍ଲୋର୍‌ ଟେଷ୍ଟ୍‌) ପ୍ରମାଣ କରିବା ପାଇଁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ବିଧାନସଭାରେ ପହଞ୍ଚିଥିଲେ । ସେପଟେ, ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଆଉ ଜଣେ ‘ଶିବସେନା’ ବିଧାୟକ ସନ୍ତୋଷ ବାଙ୍ଗର୍‌ ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ବିଧାୟକମାନଙ୍କ ଗହଣରେ ଉପସ୍ଥିତ ଥିବା ଆଜି ସକାଳେ ଦେଖିବାକୁ ମିଳିଥିଲା,ଯାହା ବିରୋଧୀଙ୍କୁ ଚକିତ କରିଥିଲା । ସିନ୍ଦେ ବିଧାୟକମାନଙ୍କ ସହ ହୋଟେଲ୍‌ରୁ ବାହାରି ସେ ବିଧାନସଭାରେ ପହଞ୍ଚିଥିଲେ । ସେ ମଧ୍ୟ ସିନ୍ଦେଙ୍କୁ ସମର୍ଥନ ଜଣାଇ ଭୋଟ୍‌ ଦେଇଛନ୍ତି । ସେପଟେ, ଜେଲ୍‌ରେ ଥିବାରୁ ଆଜିର ଏହି ଟେଷ୍ଟ୍‌ରେ ଏନ୍‌ସିପି’ ବିଧାୟକ ନବାବ ମଲ୍ଲିକ ଏବଂ ଅନୀଲ ଦେଶମୁଖ ଭୋଟ୍‌ ଦେଇ ପାରିନାହାନ୍ତି । ଏହାଛଡା, ସମାଜବାଦୀ ପାର୍ଟି ଏବଂ ‘ଏଆଇଏମ୍‌ଆଇଏମ୍‌’ର ବିଧାୟକମାନେ ଆଜିର ଟେଷ୍ଟ୍‌ରେ ଭୋଟ୍‌ ଦେଇନାହାନ୍ତି । ତେଣେ, ଏନ୍‌ସିପି ମୁଖ୍ୟ ଶରଦ ପାୱାର୍‌ କହିଛନ୍ତି ଯେ, ଆସନ୍ତା ୬ ମାସ ମଧ୍ୟରେ ଏକନାଥ ସିନ୍ଦେଙ୍କ ସରକାର ଭୁଶୁଡ଼ି ପଡ଼ିବ ଏବଂ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ । ‘ଶିବସେନା’ ସାଂସଦ ସଞ୍ଜୟ ରାଉତ ମଧ୍ୟ କହିଛନ୍ତି, ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ‘ଶିବସେନା’କୁ ଭଙ୍ଗାଯାଇଛି । ଏବେ ସେମାନେ କ୍ଷମତା ହାସଲ କରିନେଲେ ସିନା, କିନ୍ତୁ ଆଗାମୀ‘ଶିବସେନା’ ବିନା ସେମାନେ କ୍ଷମତାକୁ ଆସିବେ କେମିତି? କେନ୍ଦ୍ରୀୟ ଏଜେନ୍‌ସି ଚାପରେ ପଡି ରାଜ୍ୟରେ କାମଚଳା ବ୍ୟବସ୍ଥା କରାଯାଇଛି । ନଚେତ ସେମାନଙ୍କୁ ଏତେ ସୁରକ୍ଷା ଯୋଗାଇ ଦିଆଯାଇଛି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − one =