ଲଣ୍ଡନ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଗାଦି ଆଡକୁ ନିକଟତର ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍ । କଞ୍ଜରଭେଟିଭ୍ ପାର୍ଟିର ତୃତୀୟ ପର୍ଯ୍ୟାୟ ଭୋଟ୍ରେ ବି ସୁନକ୍ ଆଗୁଆ ରହିଛନ୍ତି । ତୃତୀୟ ରାଉଣ୍ଡ ଭୋଟିଂରେ ତାଙ୍କୁ ମିଳିଛି ୧୧୫ ଭୋଟ୍ । ଦ୍ୱିତୀୟ ଏବଂ ପ୍ରଥମ ରାଉଣ୍ଡ ଭୋଟିଂରେ ମଧ୍ୟ ସୁନକ୍ ଆଗରେ ରହିଥିଲେ । ଦ୍ୱିତୀୟ ରାଉଣ୍ଡ ଭୋଟିଂରେ ସୁନକଙ୍କୁ ୧୦୧ ଭୋଟ୍ ମିଳିଥିବା ବେଳେ ପ୍ରଥମ ରାଉଣ୍ଡରେ ମଧ୍ୟ ୮୮ ଭୋଟ୍ ସହ ସେ ଶୀର୍ଷରେ ଥିଲେ । ଋଷି ସୁନକଙ୍କୁ କଡ୍ଡା ଟକ୍କର ଦେଉଛନ୍ତି ମନ୍ତ୍ରୀ ପେନ୍ନି ମୋରଡଣ୍ଟ ଏବଂ ବୈଦେଶିକ ସଚିବ ଲିଜ୍ ଟ୍ରସ୍ । ଏହି ପର୍ଯ୍ୟାୟ ଭୋଟରେ ପେନ୍ନିଙ୍କୁ ୮୨ ଭୋଟ୍ ମିଳିଥିବା ବେଳେ ଟ୍ରସ୍ଙ୍କୁ ମିଳିଛି ମାତ୍ର ୭୧ ଭୋଟ୍ । ଦ୍ୱିତୀୟ ଏବଂ ପ୍ରଥମ ରାଉଣ୍ଡ ଭୋଟିଂରେ ମଧ୍ୟ ଉଭୟ ଋଷିଙ୍କ ଠାରୁ ଢେର୍ ପଛରେ ରହିଥିଲେ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରେସରେ ଏବେ ୪ ଜଣ ଅଛନ୍ତି । ତୃତୀୟ ପର୍ଯ୍ୟାୟ ଭୋଟିଂରେ ଆଉ ଜଣେ ଦାବିଦାର ଟମ୍ ଟୁଗେନ୍ଧାତ୍ ବାଦ୍ ପଡ଼ିଛନ୍ତି । ଏହି ପର୍ଯ୍ୟାୟରେ ଟମ୍ଙ୍କୁ ମାତ୍ର ୩୧ଟି ଭୋଟ୍ ମିଳିଥିଲା । ଭୋଟିଂରେ ସେ ସବୁଠୁ ପଛରେ ରହିବାରୁ ପ୍ରଧାନମନ୍ତ୍ରୀ ରେସ୍ରୁ ବାଦ୍ ପଡ଼ିଥିବା ଦଳ ଘୋଷଣା କରିଛି । କଞ୍ଜରଭେଟିଭ୍ ପାର୍ଟିରେ ନେତା ଚୟନ ଲାଗି ଏକ କମିଟି ରହିଥାଏ । ଏଥିରେ କଞ୍ଜରଭେଟିଭ୍ ପାର୍ଟିର ସାଂସଦ ସଦସ୍ୟ ରହିଥାନ୍ତି । ନେତା ଚୟନ ଲାଗି ୩ଟି ପର୍ଯ୍ୟାୟରେ ଚୟନ କରାଯାଇଥାଏ । ନୋମିନେସନ, ଏଲିମିନେସନ ଏବଂ ସିଲେକ୍ସନ୍ । ନୋମିନେସନ ସରି ଥିବାବେଳେ ଏଲିମିନେସନ ରାଉଣ୍ଡରେ ଋଶି ସୁନକ ଆଗରେ ରହିଛନ୍ତି । ୨୧ ଜୁଲାଇ ସୁଦ୍ଧା ମାତ୍ର ୨ ଜଣ ପ୍ରାର୍ଥୀ ଏହି ପ୍ରକ୍ରିୟାରେ ରହିବେ । ଏହାପରେ କଞ୍ଜରଭେଟିଭ୍ ପାର୍ଟିର ୨ ଲକ୍ଷ ସଦସ୍ୟଙ୍କ ସାମନାରେ ପ୍ରଧାନମନ୍ତ୍ରୀ ହେବା ଲାଗି ନିଜର ଦାବି ଉପସ୍ଥାପନ କରିବେ । ଯାହାକୁ ଅଧିକ ଭୋଟ ମିଳିବ ସେ ହେବ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ।