ଭାଙ୍ଗିଲା ମେଣ୍ଟ : ଇସ୍ତଫା ଦେଲେ ନୀତିଶ,ଏବେ ରାଜ୍ୟପାଳଙ୍କ ଉପରେ ନଜର

0 174

ପାଟନା : ବିହାରରେ ସୃଷ୍ଟି ହୋଇଛି ନୂଆ ରାଜନୈତିକ ସମୀକରଣ । ପୂରା ରାଜନୈତିକ ସ୍ଥତିି ଓଲଟପାଲଟ ହୋଇଛି । ରାଜ୍ୟରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଛି । ବିଜେପି ସହ ସଂପର୍କ ଛିନ୍ନ କରି ପୁଣି ଲାଲୁ ଯାଦବଙ୍କ ଆରଜେଡି ଓ କଂଗ୍ରେସ ସମର୍ଥନରେ ନୂଆ ସରକାର ଗଠନ କରିବାକୁ ଯାଉଛନ୍ତି ଜେଡିୟୁ ନେତା ନୀତିଶ କୁମାର । ଆଜି ସେ ରାଜଭବନକୁ ଯାଇ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତା ସହ,ବିଜେପି ସହ ସଂପର୍କ ଛିନ୍ନ ଏବଂ ତାଜା ରାଜନୈତିକ ସ୍ଥିତି ସଂପର୍କରେ ରାଜ୍ୟପାଳଙ୍କୁ ସେ ଟିକିନିଖି ତଥ୍ୟ ପ୍ରଦାନ କରିଛନ୍ତି । ଏଥିସହ ନୂଆ ସରକାର ଗଠନ କରିବାକୁ ଦାବି ମଧ୍ୟ ଜଣାଇଛନ୍ତି । ଏବେ ସମସ୍ତଙ୍କ ନଜର ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ । ସେ ନୀତୀଶ କୁମାରଙ୍କୁ ନୂଆ ସରକାର ଗଠନ କରିବାକୁ ଡାକିବେ ନା ଆଉ କୌଣସି ରାଜନୀତିକ ବିକଳ୍ପ ଦେଖିବେ, ତା’କୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପ୍ରାଥମିକ ଅବସ୍ଥାରେ ନୀତୀଶ କୁମାର ଇସ୍ତଫା ଦେବାକୁ ଚାହୁଁ ନଥିଲେ । ହେଲେ ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଥିବା ବିଜେପି ବିଧାୟକମାନେ ପଦ ଛାଡିବାକୁ ରାଜି ହୋଇ ନଥିଲେ । ତେଣୁ ସେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଇସ୍ତଫା ଦେଇଥିବାରୁ ରାଜ୍ୟରେ ଗଠନ ହୋଇଥିବା ବିଜେପି ଓ ଜେଡିୟୁ ମେଣ୍ଟ ଆପେଆପେ ଭାଙ୍ଗି ଯାଇଛି । ଏନଡିଏ ସହ ମେଣ୍ଟ ଭାଙ୍ଗିବା ସଂପର୍କରେ ନୀତୀଶ କହିଛନ୍ତି ଯେ, ଦଳର ସବୁ ବିଧାୟକ ଓ ସାଂସଦ ଏନଡିଏ ଛାଡ଼ିବା ନେଇ ସହମତି ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରାଜ୍ୟରେ ନୀତୀଶ କୁମାରଙ୍କୁ ସମର୍ଥନ ଦେବ । ଦଳର ମୁଖ୍ୟ ତେଜସ୍ୱୀ ଯାଦବ କହିଛନ୍ତି ଯେ ତାଙ୍କ ଦଳର ୧୬୦ ବିଧାୟକ ଅଛନ୍ତି । ଦଳ ନୀତୀଶଙ୍କୁ ସମର୍ଥନ କରିବ ଓ ବିଭାଗ ବଣ୍ଟନ ନେଇ କୌଣସି ବିବାଦ ନାହିଁ । ବିଜେପି ଯଦି ବିହାର ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରେ ତେବେ ତାହାକୁ ଦୃଢ ଜବାବ ଦିଆଯିବ । ଦୁଇ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ, ନୀତୀଶ ମୁଖ୍ୟମନ୍ତ୍ରୀ ରହିବେ ଓ ତେଜସ୍ୱୀ ଉପମୁଖ୍ୟନ୍ତ୍ରୀ ତଥା ଗୃହମନ୍ତ୍ରୀ ହେବେ । ମହାରାଷ୍ଟ୍ରରେ ଶିବସେନାରେ ବିଭାଜନ ପରେ ଚିନ୍ତିତ ହୋଇପଡ଼ିଥିଲେ ନୀତୀଶ । ବିହାରରେ ବି ବିଜେପି ତାଙ୍କ ଦଳ ଜେଡିୟୁର ସମାନ ଅବସ୍ଥା କରିବ ବୋଲି ଆଶଙ୍କା କରି ସେ ଏନଡିଏ ଛାଡ଼ିଥିବା ଅନୁମାନ କରାଯାଉଛି । କଂଗ୍ରେସ ମଧ୍ୟ ଏହି ମିଳିତ ସରକାରରେ ସାମିଲ ହେବାର ସମ୍ଭାବନା ରହିଛି । ନୀତୀଶ କୁମାର ଖୁବଶୀଘ୍ର ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିବାର ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ ଓ ଏନସିପି ମେଣ୍ଟକୁ ଭାଙ୍ଗି ବିଜେପି ସରକାର ଗଠନ କରିଛି । ମହାରାଷ୍ଟ୍ର ବିଧାନସଭାରେ ବିଜେପି ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ଶିବସେନା ହାତ ଛାଡି ଦେବାରୁ ଦଳକୁ ବିରୋଧୀ ଆସନରେ ବସିବାକୁ ପଡିଥିଲା । ଶିବସେନା-ଏନସିପି ଓ କଂଗ୍ରେସ ସରକାର ଗଠନ କରିଥିଲେ । ହେଲେ ସେମାନଙ୍କ ଶାସନର ଅଢେଇ ବର୍ଷ ପରେ ସୃଷ୍ଟି ହୋଇଥିଲା ଝଡ । ବିଜେପି କଥାରେ ଶିବସେନାର ୪୦ ଜଣ ବିଧାୟକ ବିଦ୍ରୋହ କରିବାରୁ ଏମଭିଏ ସରକାର ଭାଙ୍ଗି ଯାଇଥିଲା । ଏଥିସହ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଧରି ବିଜେପି ନିକଟରେ ସରକାର ଗଠନ କରିଛି । କିନ୍ତୁ ବିହାରରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ଦଳ ସହ ମିଶି ସରକାର ଗଠନ କରିଥିବା ଜେଡିୟୁ ଏବେ ବିଜେପିର ହାତ ଛାଡି ଦେଇଛି । ବିଜେପି ୭୭ଟି ଆସନ ଜିତିଥିବାରୁ ୪୫ ଆସନରେ ସୀମିତ ଥିବା ଜେଡିୟୁକୁ ଦଳର ନେତାମାନେ ସବୁବେଳେ ଧମକ ଦେଉଥିଲେ । ଏବେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିଜେପି ହାତ ଛାଡି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 5 =