ମଙ୍କିପକ୍ସର ମୁକାବିଲା ପାଇଁ ମାଷ୍ଟରପ୍ଲାନ

0 87

ନୂଆଦିଲ୍ଲୀ: ମଙ୍କିପକ୍ସ ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତିି ଏକ ମାଷ୍ଟରପ୍ଲାନ୍‌ । ଏହି ପ୍ଲାନ ଆଧାରରେ ରାଜ୍ୟମାନେ କାର୍ଯ୍ୟ କରିବେ । ଦିଲ୍ଲୀ ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସରକାର ଆଜି ସ୍ଥିତିର ପୁନଃସମୀକ୍ଷା କରିଛନ୍ତି ଏବଂ ନିୟମକୁ କଡ଼ାକଡ଼ିଭାବେ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି । ଆଜି ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ,ଏନସିଡିସି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ସାମିଲ ହୋଇଥିଲେ । କେରଳରେ ମଧ୍ୟ ସଂକ୍ରମିତ ସଂଖ୍ୟା ବଢ଼ିଛି । ବିଭିନ୍ନ ହସ୍ପିଟାଲରେ ଏଥିପାଇଁ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା କରାଯାଇଛି । ଭାରତ ସମେତ ଅନ୍ୟ ରାଷ୍ଟ୍ରରେ ବି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶର ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ବୁଧବାର ଦିଲ୍ଲୀରେ ରହୁଥିବା ଜଣେ ୩୧ ବର୍ଷୀୟ ନାଇଜେରିଆ ମହିଳାଙ୍କ ଶରୀରରୁ ଏହି ମଙ୍କିପକ୍ସ ଭୂତାଣୁ ଠାବ ହୋଇଛି । ଭାରତରେ କୌଣସି ମହିଳାଙ୍କ ଠାରୁ ମଙ୍କିପକ୍ସ ଭୂତାଣୁ ଠାବ ହେବା ଏହା ପ୍ରଥମ ଘଟଣା । ସେ ଏଲଏନଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଜ୍ୱର ହେବା ସହ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଫୁଲିଥିଲା । ଏଥିପାଇଁ ସେ ନିଜ ଆଡୁ ହସ୍ପିଟାଲ ଆସି ନମୁନା ପରୀକ୍ଷା କରିଥିଲେ । ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେ ନିକଟରେ ଭାରତକୁ ଆସିଥିଲେ ନା ପୂର୍ବରୁ ଏଠାରେ ରହୁଥିଲେ, ତା’ର ସୂଚନା ଜଣାପଡିନି । ଏବେ ପ୍ରଶାସନ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି । ଏହାପୂର୍ବରୁ ଗତକାଲି ମଧ୍ୟ ଦିଲ୍ଲୀରୁ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି କେରଳରୁ ଏକାଧିକ ମାମଲା ସାମ୍ନାକୁ ଆସିଛି । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ଆଜି କେନ୍ଦ୍ର ସରକାର ଏହାକୁ ରୋକିବା ପାଇଁ ଗାଇଡଲାଇନ ଜାରି କରିଛନ୍ତି । ମଙ୍କିପକ୍ସକୁ ରୋକିବା ପାଇଁ କ’ଣ କରିବା ଦରକାର ଓ କ’ଣ କରିବା ଦରକାର ନୁହେଁ ସେ ବିଷୟରେ ଗାଇଡଲାଇନରେ ବିସ୍ତୃତ ଭାବେ କୁହାଯାଇଛି । କେନ୍ଦ୍ର ସରକାର କହିଛନ୍ତି,ମଙ୍କିପକ୍ସ ଆକ୍ରାନ୍ତଙ୍କୁ ତୁରନ୍ତ ଆଇସୋଲେସନ ରଖିବାକୁ ହେବ । ସେହିପରି ନିୟମିତ ସାନିଟାଇଜର ଓ ସାବୁନରେ ସମସ୍ତେ ହାତ ଧୁଅନ୍ତୁ । ଆକ୍ରାନ୍ତଙ୍କ ପାଖକୁ ଯିବା ବେଳେ ଭଲ ଭାବେ ମାସ୍କ ପିନ୍ଧନ୍ତୁ ଓ ଡିସପୋଜେବୁଲ ଗ୍ଲୋବସ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ଗାଇଡଲାଇନରେ କହିଛନ୍ତି । ଏହାବାଦ ମଙ୍କିପକ୍ସ ଆକ୍ରାନ୍ତଙ୍କ ଠାରୁ ନିଜକୁ ଦୂରେଇ ରଖିବା ସହ ସେ ବ୍ୟବହାର କରୁଥିବା ପୋଷାକ, ବେଡ, ଟାୱେଲ ଓ ଅନ୍ୟାନ୍ୟ ଜିନିଷକୁ ଅନ୍ୟମାନେ ସ୍ପର୍ଶ କରିବା ଠିକ୍‌ ନୁହେଁ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

17 + 19 =