ଜୟପୁର: ରାଜସ୍ଥାନ କଂଗ୍ରେସର ଇନ ଚାର୍ଜ ଥିବା ବରିଷ୍ଠ ନେତା ଅଜୟ ମାକେନ ଆଜି ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି । ଦଳରେ ବିଦ୍ରୋହ ଯୋଗୁ ସେ ଅସନ୍ତୋଷ ପ୍ରକାଶ କରି ଏପରି ନିଷ୍ପତ୍ତି ନେଇଛନ୍ତି । ସେପ୍ଟେମ୍ବର ମାସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅଜୟ ମାକେନ ମୁଖ୍ୟମନ୍ତ୍ରୀ ପଦ ଛାଡି କଂଗ୍ରେସ ସଭାପତି ପଦ ନିର୍ବାଚନ ଲଢିବାକୁ କହିଥିଲେ । ହେଲେ ଶେଷ ମୁହୂର୍ତ୍ତରେ ଗେହଲଟ ତାଙ୍କ କଥା ଅନୁସାରେ ପଦକ୍ଷେପ ଗ୍ରହଣ କରି ନଥିଲେ । ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ମାକେନ ଦଳୀୟ ବିଧାୟକଙ୍କ ବୈଠକ ଡାକିଥିଲେ । ହେଲେ ଗେହଲଟଙ୍କ ସମର୍ଥନରେ ୯୦ରୁ ଅଧିକ ବିଧାୟକ ବୈଠକକୁ ନ ଆସି ବିଧାନସଭା ବାଚସ୍ପତିଙ୍କ ପାଖକୁ ଯାଇ ଇସ୍ତଫାର ଧମକ ଦେଇଥିଲେ । ଗେହଲଟଙ୍କ ସ୍ଥାନରେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହେବାରୁ ଏପରି ଘଟଣା ଘଟିଥିଲା । ଏହି ଘଟଣା ପରେ ମାକେନ ଆଶା କରିଥିଲେ ଯେ କଂଗ୍ରେସ ହାଇକମାଣ୍ଡ ବିଦ୍ରୋହ କରିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କିନ୍ତୁ ଏଯାଏ ସେଭଳି କୌଣସି ଘଟଣା ଘଟିନାହିଁ । ତେଣୁ ଏହି କାରଣ ପାଇଁ ସେ ରାଜସ୍ଥାନ କଂଗ୍ରେସର ଇନ ଚାର୍ଜ ପଦ ଛାଡିଥିବା କୁହାଯାଉଛି ।