ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ;୧୨ମୃତ

0 47

ଲକ୍ଷେ୍ନø,୧୬/୯ : ଉତ୍ତର ପ୍ରଦେଶରେ ଆଜି ଘଟିଛି ଏକ ଅତି ଦୁଃଖଦ ଘଟଣା । ଲଗାଣ ଓ ମୂଷଳଧାରାରେ ବର୍ଷାରେ କାନ୍ଥ ଭୁଶୁଡ଼ି ୧୨ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ଅଛନ୍ତି । ଦୀର୍ଘ ସମୟର ଉଦ୍ୟମ ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ ୯ଟା ବେଳକୁ ଶେଷ ହୋଇଥିବା ପୁଲିସ୍‌ କହିଛି । ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ହେଲା ଲଗାଣ ବର୍ଷା ଲାଗି ରହିଛି । ଏଥିଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ଏସବୁ ଭିତରେ ଆଜି ସକାଳୁ ଲୋକମାନେ ଆଶ୍ରୟ ନେଇଥିବା ଗୋଟିଏ ଘରର ବିରାଟ କାନ୍ଥ ଭୁଶୁଡି ପଡିଥିଲା । ଯୁଗ୍ମ କମିଶନର ଅଫ ପୁଲିସ୍‌(ଆଇନ ଶୃଙ୍ଖଳା) ପୀୟୂଷ ମୋରଡିଆ କହିଛନ୍ତି,“ଦିଲକୁଶା ଅଞ୍ଚଳରେ ଥିବା ଗୋଟିଏ ଆର୍ମି ଏନକ୍ଲେଭ ବାହାରେ କିଛି ଶ୍ରମିକ ମାଟି ଘର ମଧ୍ୟରେ ରହୁଥିଲେ । ତେବେ ରାତି ସାରା ବର୍ଷା ଲାଗି ରହିବାରୁ ଆର୍ମି ଏନକ୍ଲେଭର ବାଉଣ୍ଡରୀ କାନ୍ଥ ହଠାତ୍‌ ଭୁଶୁଡି ପଡିଥିଲା । ଏହା ଶ୍ରମିକମାନେ ରହୁଥିବା ଘର ଉପରେ ପଡି ଯିବାରୁ ଏହା ତଳେ ପ୍ରାୟ ୧୧ ଜଣ ଲୋକ ଚାପି ହୋଇଯାଇଥିଲେ । ଖବର ପାଇ ଆମେ ରାତି ପ୍ରାୟ ୩ଟା ବେଳେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ଧ୍ୱଂସାବଶେଷ ତଳୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ସୁରକ୍ଷିତ ବାହାର କରାଯାଇଛି । ସୁରକ୍ଷିତ ଉଦ୍ଧାର ହୋଇଥିବା ୨ ଜଣଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନେ ବିପଦ ମୁକ୍ତ ରହିଥିବା ଡାକ୍ତରମାନେ କହିଥିବା ମୋରଡିଆ ସୂଚନା ଦେଇଛନ୍ତି । ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୪ ଲକ୍ଷ ଓ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ ଆଜି ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି । ଆଜି ଉତ୍ତର ପ୍ରଦେଶର ବିଭିନ୍ନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ଥିବା ପାଣିପାଗ ବିଭାଗ କହିଛି ।

hiranchal ad1
Leave A Reply

Your email address will not be published.

sixteen − three =