ଶ୍ରୀଲଙ୍କାରେ ପାକ୍‌ ସ୍ଥିତି : ସଙ୍କଟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

0 53

କଲମ୍ବୋ,୧୩/୪ : ଏବେ ଶ୍ରୀଲଙ୍କାରେ ମଧ୍ୟ ଦେଖାଦେଇଛି ପାକିସ୍ତାନ ଭଳି ରାଜନୈତିକ ସଙ୍କଟ । ବିରୋଧୀ ଦଳଗୁଡିକ ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଜିଦରେ ଅଟଳ ରହିଛନ୍ତି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଗାଦିଚ୍ୟୁତ କରିବାକୁ ମୁଖ୍ୟ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରିଛନ୍ତି । ସେହିପରି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ମଧ୍ୟ ଅଣିବା ପାଇଁ ବିରୋଧୀ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଆଜି ଉଭୟ ଅନାସ୍ଥା ଓ ମହାଭିଯୋଗ ପ୍ରସ୍ତାବ ଉପରେ ମୁଖ୍ୟ ବିରୋଧୀ ଦଳ ପକ୍ଷରୁ ଦସ୍ତଖତ କରାଯାଇଛି । ଶୁକ୍ରବାର ହିଁ ବିରୋଧୀ ଦଳଗୁଡିକ ପକ୍ଷରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବ ବୋଲି ଘୋଷଣା କରାଯାଇଥିଲା । ଯଦି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦ ନ ଛାଡିବେ, ତା’ହେଲେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଏପରି ପ୍ରସ୍ତାବ ଆସିବ ବୋଲି ସେମାନେ କହିଥିଲେ । ଆଜି ଜାରି କରାଯାଇଥିବା ପ୍ରସ୍ତାବ ଉପରେ ମୁଖ୍ୟ ବିରୋଧୀ ମେଣ୍ଟ ସମାଗି ଜନ ବାଲାୱେଗାୟା(ଏସଜେବି)ର ୫୦ ଜଣ ସଦସ୍ୟ ଦସ୍ତଖତ କରିଛନ୍ତି । ଏଥିସହ ସେମାନେ ଅନ୍ୟ ବିରୋଧୀ ଦଳଗୁଡିକର ସହମତିକୁ ଅପେକ୍ଷା କରିଛନ୍ତି । ଶ୍ରୀଲଙ୍କା ସମ୍ବିଧାନର ନିୟମ ଅନୁଯାୟୀ, ସଂସଦରେ କୌଣସି ଅନାସ୍ଥା କିମ୍ବା ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବିଭିନ୍ନ ବିରୋଧୀ ଦଳର ୪୦ ସଦସ୍ୟଙ୍କ ଦସ୍ତଖତ ଆବଶ୍ୟକ । ଅନାସ୍ଥା ଓ ମହାଭିଯୋଗ ପ୍ରସ୍ତାବ ସମ୍ପର୍କରେ ବିରୋଧୀ ଦଳ ନେତା ସଜିତ ପ୍ରେମାଦାସ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, “ପରିବର୍ତ୍ତନ ବିନା ଆମେ ଅଟକିବୁ ନାହିଁ ।” ଏହାପୂର୍ବରୁ ବିରୋଧୀ ଦଳଗୁଡିକ ଏକ୍ସୁକେଟିଭ ପ୍ରେସିଡେନ୍ସି ବ୍ୟବସ୍ଥାର ଉଚ୍ଛେଦ ପାଇଁ ଦାବି କରିଥିଲେ । କ୍ଷମତାକୁ ସମାନ ଭାବେ କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପିକା ମଧ୍ୟରେ ବାଣ୍ଟିବା ପାଇଁ ସେମାନେ ପ୍ରସ୍ତାବ ଦେଇଥିଲେ । ଦେଶରେ ଗୋଟିଏ ପଟେ ଆର୍ଥିକ ସ୍ଥିତିକୁ ଭୟଙ୍କର ପରିସ୍ଥିତି ଲାଗି ରହିଥିବା ବେଳେ ବିରୋଧୀଙ୍କର ଏହି ଯୋଜନା ସରକାରଙ୍କ ମୁଣ୍ଡବିନ୍ଧା ବଢାଇଦେଇଛି ।

hiranchal ad1
Leave A Reply

Your email address will not be published.

2 × 3 =