କଲମ୍ବୋ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ରାନିଲ ବିକ୍ରମସିଙ୍ଘେ । ତାଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଛନ୍ତି । ତେବେ ଦେଶରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବା ପରେ ବି ରାଜଧାନୀ କଲମ୍ବୋରେ ବିକ୍ଷୋଭ ପ୍ରଦର୍ଶନ ଥମିନି । ବିକ୍ଷୋଭକାରୀମାନେ ରାନିଲଙ୍କୁ ବିରୋଧ କରୁଛନ୍ତି । ସେପଟେ ଶପଥ ପାଠ ପରେ ଦେଶ କଠିନ ପରିସ୍ଥିତିକୁ ସାମ୍ନା କରୁଛି । ବିଗିଡିଥିବା ଅର୍ଥନୀତିରେ ସୁଧାରକୁ ପ୍ରଥମ ପ୍ରାଥମିକତା ଦେବି ବୋଲି ରାନିଲ କହିଛନ୍ତି । ରାନିଲ ବିକ୍ରମସିଂଘେ ଜଣେ ଆଇନଜୀବୀ ଏବଂ ସେ ରେକର୍ଡ ୬ଥର ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରହିଛନ୍ତି । ବିକ୍ରମସିଂଘେଙ୍କ ପ୍ରାର୍ଥିତ୍ୱକୁ ଜନସାଧାରଣ ବିରୋଧ କରିଥିଲେ ସୁଦ୍ଧା ରାନିଲ ଗତକାଲି ସଂସଦୀୟ ଭୋଟ୍ରେ ଜିତିଛନ୍ତି । ୨୨୫ ସଦସ୍ୟତା ବିଶିଷ୍ଠ ସଂସଦର ୧୩୪ ସାଂସଦ ରାନିଲ ବିକ୍ରମସିଂଘେଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦୁଲ୍ଲାସ ଆହ୍ଲାପେରୁମାଙ୍କୁ ୮୨ଟି ଭୋଟ୍ ମିଳିଥିଲା । ରାଷ୍ଟ୍ରପତି ନିର୍ବାଚନ ହେବା ପରେ ରାନିଲ ବିକ୍ରମ ସଙ୍ଘ ଗଣତାନ୍ତ୍ରିକ ପରମ୍ପରାକୁ ବଜାୟ ରଖିଥିବାରୁ ପାର୍ଲାମେଣ୍ଟକୁ ଧନ୍ୟବାଦ ଜଣାଇଥିଲେ । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଏଥିପାଇଁ ଦେଶବାସୀ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷଙ୍କୁ ଦାୟୀ କରି ଜୋରଦାର ବିରୋଧ କରିଥିଲେ । ଏପରିକି ବିକ୍ଷୋଭକାରୀମାନେ ରାଷ୍ଟପତି ଭବନରେ ଧସେଇ ମଧ୍ୟ ପଶିଥିଲେ । ଏହାପରେ ଗୋଟାବାୟ ରାଜପକ୍ଷ ଦେଶ ଛାଡି ସିଙ୍ଗାପୁର ପଳାୟନ କରିଥିଲେ ।