ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ :
ଆଗକୁ ମାଗଣା ଯୋଜନା ଉପରେ ଲାଗିବ ରୋକ୍‌!

0 69

ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ରାଜନୈତିକ ଦଳଗୁଡ଼ିକର ଲୋଭନୀୟ ପ୍ରତିଶ୍ରୁତି ତଥା ମାଗଣା ଯୋଜନା ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ଏହା ଅଧିକ ଗତି ଧରିଛି । ଭୋଟରମାନଙ୍କୁ ପ୍ରଲୋଭିତ କରି ଭୋଟ ହାତେଇବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ସମୟରେ ଘୋଷଣା କରୁଥିବା ଏହି ମାଗଣା ଯୋଜନା ଉପରେ ଲଗାମ କଷିବା ସପକ୍ଷରେ ସୁପ୍ରିମକୋର୍ଟ ଦୃଢ ମତ ଦେବା ସହ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି । ଏହି ପ୍ରସଙ୍ଗ ଉପରେ କୋର୍ଟ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ନିର୍ବାଚନ କମସନ ଓ କେନ୍ଦ୍ର ସରକାର ତାଙ୍କର ଦାୟିତ୍ୱ ତୁଲାନ୍ତୁ ବୋଲି କହିଛନ୍ତି । ୍‌ଏଭଳି ମାଗଣା ଯୋଜନା ଉପରେ ରୋକ ଲାଗିବା ଦରକାର ବୋଲି କୋର୍ଟ ଦୃଢ ମତ ଦେଇଛନ୍ତି । ଏପରି କି ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ କମିଟି ଗଠନ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଦଳଗୁଡ଼ିକର ମାଗଣା ପ୍ରତିଶ୍ରୁତିଗୁଡ଼ିକ କିଭଳି ନିୟନ୍ତ୍ରଣ କରାଯାଇ ପାରିବ,ସେ ବିଷୟରେ ଏଡି କମିଟି ପରାମର୍ଶ ଦେବ । ଏହି କମିଟିରେ ନୀତି ଆୟୋଗ, ଅର୍ଥ କମିସନ୍‌,ଶାସକ ଓ ବିରୋଧୀ ଦଳ,ରିଜର୍ଭ ବ୍ୟାଙ୍କ୍‌ ଓ ନିର୍ବାଚନରେ ସଂଶ୍ଳିଷ୍ଟ ଅନ୍ୟା ପ୍ରତିଷ୍ଠାନଗୁଡିକର ସଦସ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ ବୋଲି ଅଦାଲତ ପରାମର୍ଶ ଦେଇଛନ୍ତି । ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ବିଭିନ୍ନ ସାମଗ୍ରୀ ମାଗଣାରେ ଦେବେ ବୋଲି ଦେଉଥିବା ପ୍ରତିଶ୍ରୁତିକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ଦାୟର ହୋଇଥିବା ପିଟିସନ୍‌ର ଶୁଣାଣି ବେଳେ କୋର୍ଟ ଉପରୋକ୍ତ କଥା କହିଛନ୍ତି । ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ମାଗଣା ସାମଗ୍ରୀ ଯୋଗାଣ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଉଥିବାରୁ ଉକ୍ତ କମିଟି ଏହାର ସପକ୍ଷ ଓ ବିପକ୍ଷରେ ମତ ଉପସ୍ଥାପନ କରିବା ଆବଶ୍ୟକ । ମାଗଣା ସାମଗ୍ରୀ ବଣ୍ଟନକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ, ତାହା ପ୍ରସ୍ତାବିତ କମିଟି ପରୀକ୍ଷାନିରୀକ୍ଷା କରି କେନ୍ଦ୍ର ସରକାର,ନିର୍ବାଚନ କମିସନ୍‌ ଏବଂ ସୁପ୍ରିମ୍‌ କୋର୍ଟଙ୍କୁ ରିପୋର୍ଟ ଦେବେ । ବିଶେଷଜ୍ଞ କମିଟି ଗଠନ ସଂକ୍ରାନ୍ତରେ ୭ ଦିନ ମଧ୍ୟରେ ପ୍ରସ୍ତାବ ଦାଖଲ କରିବା ଲାଗି କେନ୍ଦ୍ର ସରକାର, ନିର୍ବାଚନ କମିସନ୍‌,ବରିଷ୍ଠ ଆଡ୍‌ଭୋକେଟ୍‌ ତଥା ରାଜ୍ୟସଭା ସଦସ୍ୟ କପିଲ ସିବଲ ଏବଂ ଆବେଦନକାରୀଙ୍କୁ ଅଦାଲତ କହିଛନ୍ତି । ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟା ମଧ୍ୟ କହିଛନ୍ତି ଯେ, ନିର୍ବିଚାରରେ ଯୋଗାଣ କରାଯାଉଥିବା ମାଗଣା ସାମଗ୍ରୀ ଭାରତକୁ ଆର୍ଥିକ ବିପର୍ଯ୍ୟୟ ଆଡକୁ ନେଇଯିବ । କୋର୍ଟ କହିଛନ୍ତି ଯେ, ନିର୍ବାଚନ କମିସନ୍‌ଙ୍କ ନିଷ୍କ୍ରିୟତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଏହାର ଉତ୍ତର ଦେଇ ନିର୍ବାଚନ କମିସନ୍‌ କହିଛନ୍ତି ଯେ, ମାଗଣା ସାମଗ୍ରୀ ବଣ୍ଟନ ଉପରେ ଅଦାଲତଙ୍କ ରାୟ ତାଙ୍କ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିଛି । ଏହାର ଉତ୍ତର ଦେଇ ୩ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ କହିଥିଲେ, ପ୍ରୟୋଜନ ହେଲେ,ରାୟର ପୁନର୍ବିଚାର ହେବ ।

hiranchal ad1
Leave A Reply

Your email address will not be published.

5 × two =