ଡେରାଡୁନ: ଆସନ୍ତା ଏପ୍ରିଲ ୨୨ରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ କେଦାରନାଥ ମନ୍ଦିର ଏବଂ ଏପ୍ରିଲ ୨୩ରେ ବଦ୍ରିନାଥ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ରବିବାର ଘୋଷଣା କରିଛନ୍ତି। ଅପରପକ୍ଷରେ ଏପ୍ରିଲ ୧୯ରେ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର ଖୋଲାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ପ୍ରବଳ ତୁଷାରପାତ ଏବଂ ଶୀତ ଲହରି ଯୋଗୁଁ ଉପରୋକ୍ତ ଚାରିଟି ମନ୍ଦିରକୁ ଛଅ ମାସ ପାଇଁ ବନ୍ଦ ରଖାଯାଇଥାଏ। ତେବେ ମନ୍ଦିର ଖୋଲାଯିବାର ତାରିଖ ଏବଂ ସମୟ ପବିତ୍ର ଶିବରାତ୍ରିରେ ହିଁ ଘୋଷଣା କରାଯାଇଥାଏ। ଦେଶର ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କେଦାରନାଥ ହେଉଛି ଅନ୍ୟତମ।
