ଅବୁ ସାଲେମ ମାମଲାରେ କେନ୍ଦ୍ର ଉପରେ ବର୍ଷି ଏମିତି କହିଲେ ସୁପ୍ରିମକୋର୍ଟ

0 49

ନୂଆଦିଲ୍ଲୀ,୨୧/୪ : ଗ୍ୟାଙ୍ଗଷ୍ଟର ଆବୁ ସାଲେମର ଏକ ଆବେଦନ ଉପରେ ଆଜି ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ନେଇ କେନ୍ଦ୍ର ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସତ୍ୟପାଠରେ ଯେଭଳି ଶୈଳୀ ଓ ଭାଷା ବ୍ୟବହାର କରାଯାଇଛି,ତାହା କୋର୍ଟଙ୍କୁ ସବୁଠୁ ବେଶୀ କ୍ଷୁବ୍ଧ କରିଛି । ଗ୍ୟାଙ୍ଗଷ୍ଟର ଅବୁ ସାଲେମକୁ ମୁମ୍ବାଇ ବୋମା ବସ୍ଫୋରଣ ଘଟଣାରେ ୨୫ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହୋଇଛି । ଏହା ବିରୋଧରେ କରିଥିବା ଆବେଦନକୁ କେନ୍ଦ୍ର ସରକାର ଅସ୍ୱାଭାବିକ ବୋଲି କହିଛନ୍ତି । ଏଥିସହ ଏହି ଘଟଣାର ନିଷ୍ପତ୍ତି କେନ୍ଦ୍ର ସରକାର ସମୟ ଆସିଲେ ନେବେ ବୋଲି କହିଛନ୍ତି । ଏହା ଶୁଣି ସୁପ୍ରିମକୋର୍ଟ ଖପ୍ପା ହେବା ସହ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ଜଷ୍ଟିସ ଏସ୍‌କେ କୌଲ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସତ୍ୟପାଠକୁ ଅଗ୍ରାହ୍ୟ କରିଛନ୍ତି । ସେ କହିଛନ୍ତି, “ନ୍ୟାୟପାଳିକାକୁ ପାଠ ପଢାନ୍ତୁ ନାହିଁ । ଆପଣ ଯେତେବେଳେ ଆମକୁ କୌଣସି ପ୍ରସଙ୍ଗରେ ନିଜେ ନିଷ୍ପତ୍ତି ନେବା କଥା କହୁଛନ୍ତି ସେତେବେଳେ ଆମେ କେବେ ବି ଏହାକୁ ହାଲୁକା ଭାବେ ନେବୁନାହିଁ । ପୂରା ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ଆମକୁ କହିବାକୁ କିଏ?”କେନ୍ଦ୍ର ସରକାର କ’ଣ କହିବାକୁ ଚାହୁଁଛନ୍ତି, ସେସବୁ ବିଷୟ ଆମ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି । କୋର୍ଟ କହିଛନ୍ତି, “ସତ୍ୟପାଠରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲେଖିଥିବା ଶବ୍ଦ ଗୁଡିକ ଆମକୁ ଆଦୌ ପସନ୍ଦ ଆସୁନାହିଁ । ବିଶେଷ କରି ଉପଯୁକ୍ତ ସମୟରେ ମନ୍ତ୍ରଣାଳୟ ଏହାର ଉପରେ ନିଷ୍ପତ୍ତି ନେବ ବୋଲି ସତ୍ୟପାଠରେ ଲେଖିବା ଆଶ୍ଚର୍ଯ୍ୟଜନକ ।” ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସତ୍ୟପାଠରେ କହିଥିଲା ଯେ ଅବୁ ସାଲେମ ମାମଲାରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବାକୁ ଏବେ ଉପଯୁକ୍ତ ସମୟ ନୁହେଁ । ସୁପ୍ରିମକୋର୍ଟ ଚାହିଁଲେ ନିଷ୍ପତ୍ତି ନେଇପାରିବେ । କାରଣ ସୁପ୍ରିମକୋର୍ଟ କାର୍ଯ୍ୟପାଳିକା କିମ୍ବା ଅନ୍ୟ କୌଣସି ଚୁକ୍ତି ମଧ୍ୟରେ ଆବଦ୍ଧ ନୁହନ୍ତି । ନ୍ୟାୟପାଳିକା ନିରପେକ୍ଷ ହୋଇଥିବାରୁ ସୁପ୍ରିମକୋର୍ଟ ନିଜ ଇଚ୍ଛାରେ ଚାହିଁଲେ ନିଷ୍ପତ୍ତି ନେଇ ପାରିବେ ବୋଲି କେନ୍ଦ୍ର ସରକାର କହିଥିଲେ ।

hiranchal ad1
Leave A Reply

Your email address will not be published.

10 + four =