ନୂଆଦିଲ୍ଲୀ : ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କଡ଼ା ଟକ୍କର ମଧ୍ୟରେ ବାଜିମାତ କରିଛନ୍ତି । ଭୋଟ ଗଣତି ଆରମ୍ଭରୁ ସାଙ୍କେଲିମ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା । ପ୍ରତି ରାଉଣ୍ଡରେ କିଏ ଜିତିବ ନେଇ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । କେଉଁ ରାଉଣ୍ଡରେ ସାୱନ୍ତ ଆଗରେ ରହୁଥିଲେ ତ ଆଉ କେଉଁ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ଧର୍ମେଶ ସାଗଲାନି ଆଗେଇ ଯାଉଥିଲେ । କିନ୍ତୁ ପରିଶେଷରେ କଡ଼ା ଟକ୍କର ଭିତରେ ସାୱନ୍ତ ବାଜିମାତ କରିବାରେ ସଫଳ ହୋଇଛନ୍ତି । ସାୱନ୍ତଙ୍କୁ ୧୨୨୫୦ ଖଣ୍ଡ ଭୋଟ ମିଳିଥିବାବେଳେ ଧର୍ମେଶଙ୍କୁ ୧୧୪୧୪ ଖଣ୍ଡ ଭୋଟ ମିଳିଥିଲା ।
ଗୋଆରେ ୪୦ଟି ବିଧାନସଭା ଆସନ ରହିଥିବାବେଳେ ବିଜେପି ୧୮ଟି ଆସନରେ ଜିତିଥିବାବେଳେ ୨ଟି ଆସନରେ ଆଗୁଆ ରହିଛି । ସେହିପରି ଆମ ଆଦମୀ ପାର୍ଟି ଗୋଟିଏ ଆସନରେ ଜିତିଥିବାବେଳେ ଗୋଟିଏରେ ଆଗୁଆ ରହିଛନ୍ତି । ସ୍ୱାଧୀନ ଭାବେ ଜିଣିଥିବା ୩ ବିଧାୟକ ବିଜେପିକୁ ସମର୍ଥନ କରିବେ ବୋଲି ଜଣାପଡ଼ିଛି । ସେପଟେ ଗୋଆରେ ସରକାର ଗଢ଼ିବାକୁ ଚାହୁଁଥିବା କଂଗ୍ରେସ ୬ ଆସନରେ ଜିତିଥିବାବେଳେ ୫ ଆସନରେ ଆଗୁଆ ରହିଛି । ମହାରାଷ୍ଟ୍ରବାଦୀ ଗୋମନ୍ତକଙ୍କୁ ୨ଟି ଓ ରିଭୋଲୁସନାରୀ ଗୋଆନ ପାର୍ଟିକୁ ଗୋଟିଏ ଆସନ ମିଳିଛି ।