ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ଲାଗି ଆଜି ‘ଏନ୍ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ତାଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ । ଅଗଷ୍ଟ ୬ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ‘ଏନ୍ଡିଏ’ର ପ୍ରାର୍ଥୀ ଧନଖଡ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲ୍ଭାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ । ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଆଜି ସକାଳେ ଧନଖଡ ସଂସଦର ଲାଇବ୍ରେରିରେ ପହଞ୍ଚିଥିଲେ । ଦଳୀୟ କାର୍ଯ୍ୟକର୍ତ୍ତାମାନେ ଧନଖଡଙ୍କୁ ସଂସଦ ଭବନ ମଧ୍ୟକୁ ପାଛୋଟି ନେଇଥିଲେ । ଏହାପୂର୍ବରୁ ଧନଖଡ ବିଭିନ୍ନ ଦଳର ସାଂସଦମାନଙ୍କୁ ଭେଟି ସେମାନଙ୍କର ଭୋଟ୍ ଲୋଡିଥିଲେ । ଏଥିପାଇଁ ଆୟୋଜିତ ବୈଠକରେ ଧନଖଡଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ‘ବିଜେପି’ର ବରିଷ୍ଠ ନେତା ଏବଂ ବିରୋଧୀ ଦଳର ନେତାମାନେ ଉପସ୍ଥିତ ଥିଲେ ।