ଗାଦିଚ୍ୟୁତ ହେଲେ ଇମ୍ରାନ, ଶେହବାଜ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ

0 69

ଇସଲାମବାଦ: ରାତି ଅଧରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସୋମବାର ପାକିସ୍ତାନ ସଂସଦରେ ଭୋଟିଂ ହେବ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଭାଇ ଶେହବାଜ ଶରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଶେହବାଜ ଶରିଫ୍ ବର୍ତ୍ତମାନ PML-N ଦଳର ଅଧ୍ୟକ୍ଷ ଅଛନ୍ତି ।ଶନିବାର ଇମ୍ରାନ ଖାନ କ୍ଷମତାରୁ ହଟିବା ପରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶେହବାଜଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।
ଉଲ୍ଲେଖଯୋଗ୍ୟ, ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମୁକାବିଲା କରିବାରେ ଇମ୍ରାନ ସରକାର ଫେଲ୍ ହେବାରୁ ବିରୋଧୀ ଦଳ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଗତ ଏପ୍ରିଲ ୩ ତାରିଖରେ ଏହି ପ୍ରସ୍ତାବ ଉପରେ ଭୋଟିଂ ଥିଲା । ମାତ୍ର ଏହାକୁ ବିଦେଶୀ ଷଡଯନ୍ତ୍ର କହି ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ଖାରଜ କରି ଦେଇଥିଲେ । କିନ୍ତୁ ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ଲାଗି କଳବଳ ଲଗାଇଥିବା ବିରୋଧୀ ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।ଏହାପରେ ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କୁ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିବା ସହ ଏପ୍ରିଲ ୯ରେ ପୁନଃ ମତଦାନ ପାଇଁ ରାୟ ଶୁଣାଇଥିଲେ । ହେଲେ ଶନିବାର ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଭୋଟିଂକୁ ନେଇ ଆଲୋଚନା ବେଳେ ଶାସକ ଓ ବିରୋଧିଙ୍କ ମଧ୍ୟରେ ହଙ୍ଗାମା ହୋଇଥିଲା । ଫଳରେ ଦିନ ପ୍ରାୟ ସାଢେ ୧୨ଟା ସମୟରେ ବାଚସ୍ପତି ଗୃହ କାର୍ଯ୍ୟ ମୁଲତବୀ ଘୋଷଣା କରିଥିଲେ । ସେପଟେ କୌଣସି ସ୍ଥିତିରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ । ଦିନ ସାରା ଡ୍ରାମା ପରେ ରାତି ଅଧରେ ପୁଣି ସଂସଦ ବୈଠକ ବସିଥିଲା । ଗୃହ କାର୍ଯ୍ୟ ଆରମ୍ଭ ହେବା ସହ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ଯେଉଁଥିରେ ଶେଷରେ ଇମ୍ରାନ ଖାନ ପରାଜିତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

14 − 1 =