ନୂଆଦିଲ୍ଲୀ : ଦେଶର ୧୪ଟି ରାଜ୍ୟରେ ସଦର ମହକୁମା ହସ୍ପିଟାଲ ସହିତ ସମ୍ପୃକ୍ତ ନୂଆ ମେଡିକାଲ କଲେଜଗୁଡିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଏସବୁ ନୂଆ ମେଡିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅର୍ଥ ଯୋଗାଇ ଦେଉଛନ୍ତି । ସମ୍ପୃକ୍ତ ପାଣ୍ଠିକୁ ତୁରନ୍ତ ବିନିଯୋଗ କରି ସେସବୁ ମେଡିକାଲ କଲେଜଗୁଡିକରେ ସ୍ନାତକ ପାଠ୍ୟକ୍ରମ ଯଥାଶୀଘ୍ର ଆରମ୍ଭ କରିବାକୁ କୁହାଯାଇଛି । ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନୂଆ ମେଡିକାଲ କଲେଜଗୁଡିକର ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏହି ମେଡିକାଲ କଲେଜଗୁଡିକର ପ୍ରଗତି ଅତ୍ୟନ୍ତ ମନ୍ଥର ଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉଦ୍ବେଗ ପ୍ରକାଶ କରିଥିଲେ । ଭିଡିଓ କନ୍ଫରେନ୍ସି ବ୍ୟବସ୍ଥାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମ୍ପୃକ୍ତ ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ ଓ ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକମାନେ ଯୋଗଦେଇଥିଲେ । ଏହି କେନ୍ଦ୍ରୀୟ ଯୋଜନାରେ ଦେଶରେ ୧୫୭ ନୂଆ ମେଡିକାଲ କଲେଜ ସ୍ଥାପନ କରିବାକୁ ୨୦୧୪ରୁ ନିଷ୍ପତ୍ତି ଗ୍ରହଣ କରାଯାଇ ତିନିଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଆଜିର ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ହିମାଚଳ ପ୍ରଦେଶ, ହରିୟାଣା, ଝାଡଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ମେଘାଳୟ, ମିଜୋରାମ, ଓଡିଶା, ନାଗାଲାଣ୍ଡ, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର ଏବଂ ଆଣ୍ଡାମାନ ନିକୋବରର ସ୍ୱାସ୍ଥ୍ୟ ସଚିବ ଏବଂ ଡିଏମ୍ଇଟିମାନେ ଯୋଗଦେଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏସବୁ ରାଜ୍ୟର ମେଡିକାଲ କଲେଜର ମନ୍ଥର ପ୍ରଗତି ଘେନି ଉଦ୍ବେଗ ପ୍ରକାଶ କରିବା ସହିତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରି ୨୦୨୩-୨୪ ଶିକ୍ଷାବର୍ଷରୁ ମେଡିକାଲ ୟୁଜି ଶିକ୍ଷା ଆରମ୍ଭ କରିବାକୁ ଗୁରୁତ୍ୱ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଏହି ଯୋଜନାକୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।