ନୂଆଦିଲ୍ଲୀ,: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ ଯୁଦ୍ଧର ନିଆଁ ଏବେ ସଂଯୁକ୍ତ ଆରବ ଏମିରେଟ୍ସ (UAE)କୁ ବ୍ୟାପିବାରେ ଲାଗିଛି । ସୋମବାର ସକାଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ବଡ଼ ଧରଣର ଡ୍ରୋନ ମାଡ଼ ହୋଇଛି । ଏହି ଆକ୍ରମଣ ପରେ ବିମାନବନ୍ଦରର ଏକ ଇନ୍ଧନ ଟାଙ୍କିରେ ଭୟଙ୍କର ନିଆଁ ଲାଗିଛି । ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଦୁବାଇ ମିଡିଆ ଅଫିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳୁ ଏକ ଅଜ୍ଞାତ ଡ୍ରୋନ ବିମାନବନ୍ଦର ପରିସରରେ ଖସିପଡ଼ିଥିଲା, ଯାହାଫଳରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଛି । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ଦୁବାଇ ନାଗରିକ ବିମାନ ଚଳାଚଳ ପ୍ରାଧିକରଣ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଉଡ଼ାଣ ବାତିଲ କରିଛନ୍ତି ।
