ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ:ଡାକ୍ତରଙ୍କୁ ମିଳୁଥିବା ମାଗଣା ଉପହାର ଯୋଗୁଁ ବଢୁଛି ମେଡିସିନର ମୂଲ୍ୟ

0 136

ନୂଆଦିଲ୍ଲୀ: ଡାକ୍ତରମାନଙ୍କୁ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀଗୁଡ଼ିକ ପକ୍ଷରୁ ଦିଆଯାଉଥିବା ଉପହାର ଏବଂ ମାଗଣା ଉପହାର ଦେବାର ଖର୍ଚ୍ଚକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରିବାକୁ ଫାର୍ମା କମ୍ପାନୀଗୁଡିକର ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଏହି ଆବେଦନକୁ ଖାରଜ କରିଦେଇ କହିଛନ୍ତି ଯେ ଡାକ୍ତରମାନଙ୍କୁ ଦିଆଯାଉଥିବା ଏହି ଉପହାର ମାଗଣା ନୁହେଁ । ଔଷଧ ମୂଲ୍ୟ ବୃଦ୍ଧି କରି ଏଭଳି ଉପହାର ଡାକ୍ତରମାନଙ୍କୁ ଦିଆଯାଉଛି । ଆୟକର ଅଧିନିୟମର ଧାରା ୩୭ (୧) ଅନୁଯାୟୀ ଫାର୍ମା କମ୍ପାନୀଗୁଡିକ ଆୟକର ଛାଡରୁ ଏହାର ଲାଭ ଉଠାଇ ପାରିବେ ନାହିଁ । ଡାକ୍ତର ପ୍ରେସକ୍ରିପସନରେ ଯାହା ବି ଲେଖିଥାନ୍ତି ରୋଗୀ ସେହି ମେଡ଼ିସିନ ହିଁ ଆଣିଥାଏ । ଡାକ୍ତର ଲେଖିଥିବା ଔଷଧ ଦାମୀ ହେଲେ ବି ରୋଗୀ ତାହା କିଣିବାକୁ ଚେଷ୍ଟା କରିଥାଏ । ଏପରି ପରିସ୍ଥିତିରେ, ଯେତେବେଳେ ଡାକ୍ତରଙ୍କ ଦ୍ୱାରା ଲିଖିତ ପ୍ରେସକ୍ରିପସନରେ ଫାର୍ମା କମ୍ପାନୀଗୁଡିକ ଦ୍ୱାରା ଦିଆଯାଇଥିବା ମାଗଣା ଉପହାର ସହ ଜଡିତ ଥାଏ, ଏହା ଏକ ଚିନ୍ତାର ବିଷୟ ହୋଇଥାଏ । ଏଲସିଡି ଟିଭି,ସୁନା କଏନ, ଭ୍ରମଣ ଖର୍ଚ୍ଚ ଓ ଅନ୍ୟାନ୍ୟ ଉପହାର ଇତ୍ୟାଦି ଡାକ୍ତରଙ୍କୁ ଦେଇ ଏହାର ମୂଲ୍ୟ ଔଷଧ ମୂଲ୍ୟ ସହ ଯୋଡିଦିଆଯାଏ । ଯାହାଦ୍ୱାରା ରୋଗୀ ଜଣକ ଅଧିକ ଦାମ ଦେଇ ମେଡ଼ିସିନ କିଣିଥାଏ । ଏହା ସର୍ବସାଧାରଣ ନୀତି ବିରୁଦ୍ଧ ଓ ଏହା ଆଇନ ଦ୍ୱାରା ସ୍ପଷ୍ଟ ଭାବରେ ନିଷେଧ । ଭାରତୀୟ ମେଡିକାଲ୍‌ କାଉନସିଲ୍‌ ରେଗୁଲେସନ୍‌, ୨୦୦୨ ର ଉପ-ନିୟମ ୬.୮ ଅନୁଯାୟୀ, ଡାକ୍ତରମାନଙ୍କୁ ଫାର୍ମା କମ୍ପାନୀଗୁଡିକ ଦ୍ୱାରା ଉପରୋକ୍ତ ଉପହାର ଦେବା ଦଣ୍ଡନୀୟ । ତେଣୁ, ଏହି ଉପହାର ଖର୍ଚ୍ଚ କମ୍ପାନୀଗୁଡିକର ଆୟ ଏବଂ ବ୍ୟବସାୟରେ ଯୋଡି ହୋଇପାରିବ ନାହିଁ । କାରଣ, ଏହା ବେଆଇନ କାର୍ଯ୍ୟରେ ବ୍ୟୟ ହୋଇଥାଏ ଏବଂ ବେଆଇନ ବ୍ୟୟ ଆୟକର ରିହାତିରୁ ମୁକ୍ତ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 − fifteen =