ପଟିଆଲା : ସସ୍ପେନ୍ସର ଅବସାନ ଘଟିଛି । ଶେଷରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପଞ୍ଜାବର ପୁର୍ବତନ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ । କୋର୍ଟରେ ଆତ୍ମସମର୍ପଣ କରିବାକୁ ଓକିଲ ଅଭିଷେକ ମନୁ ସଂଘଭିଙ୍କ ମାଧ୍ୟମରେ କିଛି ସମୟ ମାଗିଥିଲେ ସିଦ୍ଧୁ । କିନ୍ତୁ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ସୁପ୍ରିମ କୋର୍ଟ । ଓକିଲଙ୍କ ମାଧ୍ୟମରେ ଆତ୍ମସମର୍ପଣ କରିବାକୁ କିଛି ସମୟ ସିଦ୍ଧୁ ମାଗିଥିବା ବେଳେ ଜଷ୍ଟିସ ଖାନାବିଲକରଙ୍କ ବେଞ୍ଚ କହିଥିଲେ ଯେ, ଏହାକୁ ନେଇ ଏକ ସଠିକ ଆବେଦନ ଦାଖଲ କର ଓ ଏହାକୁ ମୁଖ୍ୟ ବିଚାରପତିଙ୍କ ବେଞ୍ଚ ଆଗରେ ଶୁଣାଣି କରିବାକୁ ଆବେଦନ କର । ଆଜି ସକାଳେ କଂଗ୍ରେସର କିଛି ବରିଷ୍ଠ ନେତା ସିଦ୍ଧୁଙ୍କ ବାସଭବନରେ ପହଂଚିଥିଲେ । ଏହାର କିଛି ସମୟ ପରେ ସିଦ୍ଧୁ ଆତ୍ମସମର୍ପଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଗାଡ଼ି ପାର୍କିଂକୁ ନେଇ ୧୯୮୮ରେ ଆକ୍ରମଣ ଘଟଣାରେ ସିଦ୍ଧୁ ଓ ତାଙ୍କର ଜଣେ ବନ୍ଧୁ ଅଭିଯୁକ୍ତ ହୋଇଥିଲେ । ଏହି ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଗତକାଲି ଏକ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ।