ଦିସପୁର: ଭାରତରେ କରୋନାର ଏକାଧିକ ନୂଆ ପ୍ରଜାତି ଚିହ୍ନଟ ହୋଇସାରିଲାଣି । ତା ସହିତ ମଙ୍କିପକ୍ସ ରୋଗୀ ଦେଶରେ ଚିହ୍ନଟ ହୋଇସାରିଲେଣି । ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଏବେ ଆଉ ଏକ ଆତଙ୍କ ଦେଖାଦେଇଛି । ତାହା ହେଉଛି ଆଫ୍ରିକାନ ସ୍ୱାଇନ ଫ୍ଲୁ । ଦେଶରେ ପ୍ରଥମକରି ଏହି ଫ୍ଲୁ ଚିହ୍ନଟ କରାଯାଇଛି । ଆଉ ଏହା ପରେ ଲୋକମାନଙ୍କ ମଧ୍ୟରେ ଭୟ ଖେଳିଯାଇଛି । ନିକଟରେ କେରଳରେ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ଦେଶରେ ଆତଙ୍କ ଖେଳିଯାଇଥିଲା । ଏବେ ଆସାମରେ ଘୁଷୁରୀମାନଙ୍କ ମଧ୍ୟରେ ଆଫ୍ରିକାନ ସ୍ୱାଇନ ଫ୍ଲୁ ଚିହ୍ନଟ ହୋଇଛି । ଦିବ୍ରୁଗଡ଼ ଭୋଗାଲି ପଥର ଗାଁରେ ଏକ ଘୁଷୁରୀ ଠାରେ ଏହି ଭାଇରସ୍ ଚିହ୍ନଟ ହୋଇଛି । ଏନେଇ ସେଠାକାର ପ୍ରାଣୀଧନ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ଦିବ୍ରୁଗଡ଼ରେ ଯେଉଁଠାରୁ ଘୁଷୁରୀ ଠାରେ ଏହି ଭାଇରସ ଚିହ୍ନଟ ହୋଇଛି,ସେହିଠାରୁ ଏକ କିମି ପରିଧିରେ ଯେତେ ଘୁଷୁରୀ ଥିଲେ ସମସ୍ତଙ୍କୁ ମାରି ପୋତି ଦିଆଯାଇଛି । ଏଥିସହ ପୂରା ଅଞ୍ଚଳକୁ ସାନିଟାଇଜ କରାଯାଇଥିବା ସେଠାକାର ସ୍ୱାସ୍ଥ୍ୟ ବିଭାଗ କହିଛି । ଏହି ରୋଗ ଅତ୍ୟଧିକ ସଂକ୍ରାମକ ଏବଂ ଏହାର କୌଣସି ଟିକା ନ ଥିବାରୁ ସରକାର ଘୁଷୁରୀ ମାଂସ ଖାଇବା ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏପ୍ରିଲ ମାସରେ ତ୍ରିପୁରା ସେପାହିଜାଲା ଜିଲ୍ଲାରେ ସରକାରୀ ଦେବୀପୁରା ଫାର୍ମ ଓ ତା’ ଆଖପାଖ ଅଞ୍ଚଳରେ ମଧ୍ୟ ଆଫ୍ରିକାନ୍ ସ୍ୱାଇନ୍ ଫ୍ଳୁ ମାମଲା ସାମ୍ନାକୁ ଆସିଥିଲା । ଏହା ପରେ ପ୍ରାଣୀଧନ ଚିକିତ୍ସା ବିଭାଗ ୧୬୫ଟି ଘୁଷୁରୀକୁ ମାରି ପୋତି ଦେଇଥିଲା । ଦେବୀପୁରା ଫାର୍ମରେ ଏଏସଏଫ୍ ଭୂତାଣୁ ଚିହ୍ନଟ ହେବା ପରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଆସାମ, ମିଜୋରାମ,ସିକ୍କିମ,ନାଗାଲାଣ୍ଡ,ତ୍ରିପୁରା,ଉତ୍ତରାଖଣ୍ଡ ଏବଂ ବିହାରରେ ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁ ମାମଲା ରିପୋର୍ଟ ହୋଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଫ୍ରିକାନ ସ୍ୱାଇନ୍ ଫ୍ଲୁ ଘୁଷୁରୀଙ୍କ ପାଇଁ ମାରାତ୍ମକ ହୋଇପାରେ । ତେବେ ଏହା ମଣିଷକୁ ସଂକ୍ରମିତ କରେ ନାହିଁ । କିନ୍ତୁ ଘୁଷୁରୀଙ୍କ ପାଇଁ ଏହା ପ୍ରାଣଘାତକ । ସରକାରୀ ତଥ୍ୟ ଅନୁସାରେ, ୨୦୨୦ରୁ ୨୦୨୨ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ୧,୧୮୧ ଘୁଷୁରୀଙ୍କୁ ହତ୍ୟା କରାଯିବା ସହ ରାଜ୍ୟରେ ପାଖାପାଖି ୪୦,୧୫୯ ଘୁଷୁରୀ ଏହି ଜ୍ୱରରେ ପ୍ରାଣ ହରାଇଛନ୍ତି ।