ଆଜମଗଡ଼ : ଏବେ ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ନିର୍ବାଚନ ଋତୁ ଚାଲିଛି । ଭୋଟରମାନଙ୍କୁ ହାତେଇବା ପାଇଁ ଦଳଗୁଡ଼ିକ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ସେମାନଙ୍କ ଆଗରେ ଅତି ଲୋଭନୀୟ ଅଫର ତଥା ପ୍ରତିଶ୍ରୁତି ରଖୁଛନ୍ତି । ଆମକୁ କ୍ଷମତାକୁ ପଠାଇଲେ ଅମୁକ ଦେବୁ,ସମୁକ ଦେବୁ ବୋଲି ବ୍ୟାକୁଳ ପ୍ରତିଶ୍ରୁତି ଦେଉଛନ୍ତି । କ୍ଷମତାରେ ଥିବା ବିଜେପି ପ୍ରତିଶ୍ରୁତିର ପାହାଡ଼ ଅଜାଡ଼ି ଦେଇଥିବା ବେଳେ ଅନ୍ୟ ଦଳଗୁଡ଼ିକ ମଧ୍ୟ ପଛରେ ପଡ଼ି ନାହାନ୍ତି । ଅଖିଳେଷ ଯାଦବଙ୍କ ସମାଜବାଦୀ ପାର୍ଟି ଇତିମଧ୍ୟରେ କେତେକ ଲୋଭନୀୟ ପ୍ରତିଶ୍ରୁତି ଘୋଷଣା କରିଥିବା ବେଳେ ବୁଧବାର ଆଉ ଏକ ବଡ଼ ଥୋପ ପକାଇଛି । ଦଳମୁଖିଆ ଅଖିଳେଷ ଭୋଟରମାନଙ୍କୁ ଦୃଢ ପ୍ରତିଶ୍ରୁତି ଦେଇ କହିଛନ୍ତି,ଆମକୁ କ୍ଷମତାସୀନ କରାଇଲେ ରାଜ୍ୟର ପ୍ରତି ପରିବାରଙ୍କୁ ବର୍ଷକୁ ୧୮ ହଜାର ଟଙ୍କାର ପେନସନ ମିଳିବ । ଦଳ କ୍ଷମତାକୁ ଆସିଲେ ସମାଜବାଦୀ ପେନସନ ସ୍କିମ ପ୍ରଚଳନ ହେବ । ଏହି ସ୍କିମର ହତାଧିକାରୀମାନଙ୍କୁ ଉପରୋକ୍ତ ପେନସନ ମିଳିବ । ଏଥିରେ ଟିକେ ବି ଏପଟସେପଟ ହେବନି । ଏହି ସ୍କିମରେ ଅବହେଳିତ ମହିଳା ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରମାନଙ୍କୁ ବର୍ଷକୁ ୧୮ ହଜାର ଟଙ୍କାର ପେନସନ ମିଳିବ । ପୂର୍ବରୁ ଏହି ସ୍କିମରେ ୬ ହଜାର ଟଙ୍କା ମିଳୁଥିଲା । ଅଖିଳେଷ କହିଛନ୍ତି ଯେ ଆଜମଗଡ଼ର ଲୋକମାନଙ୍କ ଅନୁମତି ପାଇବା ପରେ ହିଁ ସେ ନିର୍ବାଚନ ଳଢିବେ । ତେବେ ସମାଜବାଦୀ ପାର୍ଟିର ଏହି ଚାଲ୍ କେତେ ଦୂର ଭୋଟରଙ୍କୁ ପ୍ରଭାବିତ କରୁଛି,ତାହା ନିର୍ବାଚନ ଫଳାଫଳ ହିଁ କହିବ ।