ଜାଣନ୍ତୁ,କାହିଁକି ଏହି ମହିଳାଙ୍କୁ ସାଲ୍ୟୁଟ କରୁଛନ୍ତି ଲୋକେ

0 70

ନୂଆଦିଲ୍ଲୀ : ସମୟ ଗଡ଼ିଚାଲିବା ସହ ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବର୍ତ୍ତମାନର ଯୁଗରେ ମହିଳାମାନେ ବହୁତ ଉନ୍ନତି କଲେଣି । ପୁରୁଷ ଭଳି ସେମାନେ ମଧ୍ୟ ବିଭିନ୍ନ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିପାରୁଛନ୍ତି । ଘରେ ଯାବତୀୟ କାମ କରିବାଠୁ ବିମାନ ଚଳାଇବା ଭଳି କାର୍ଯ୍ୟ କଲେଣି । ସେନାରେ ସାମିଲ ହେଲେଣି । କେବଳ ସେତିକି ନୁହେଁ,ସମାଜକୁ ସୁରକ୍ଷା ମଧ୍ୟ ଦେଉଛନ୍ତି । ବୁଢାବୁଢିମାନଙ୍କୁ ସାହାରା ହୋଇ ମଣିଷପଣିଆର ପରିଚୟ ମଧ୍ୟ ଦେଉଛନ୍ତି । ଏମିତି ଜଣେ ମହିଳା ହେଲେ ଚେନ୍ନାଇର ରାଜି ଅଶୋକ । ବୟସ ପାଖାପାଖି ୫୦ ବର୍ଷ ହେବ । ପେଶା ଅଟୋ ଚାଳିକା । ରାଜି ଅଟୋ ଚଲାଇ କେବଳ ନିଜ ପରିବାର ପୋଷିନଥାନ୍ତି ବରଂ ଅନ୍ୟ ମହିଳା ଓ ବୃଦ୍ଧମାନଙ୍କ ପାଇଁ ସାହାର ହୁଅନ୍ତି । ତେବେ ଏହି କାମ ପାଇଁ ସେ ସେମାନଙ୍କଠାରୁ ଟଙ୍କା ନେଇ ନଥାନ୍ତି । ତେବେ ଏଭଳି କାମ ପାଇଁ ଏବେ ମହିଳାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ଆଉ ତାଙ୍କୁ ସବୁ ସାଲ୍ୟୁଟ ମଧ୍ୟ କରୁଛନ୍ତି । ରାଜିଙ୍କ ନିଜ ଘର କେରଳରେ ହେଲେ ବିବାହ ପରେ ସେ ଚେନ୍ନାଇ ଚାଲିଆସିଥିଲେ । ସେ ସ୍ନାତକ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ହେଲେ ବହୁ ଚେଷ୍ଟା ପରେ ବି ତାଙ୍କୁ କେଉଁଠି ଚାକିରି ମିଳିନଥିଲା । ତେଣୁ ଘର ଚଳାଇବା ପାଇଁ ସେ ଅଟୋ ଚଲାଇବା ଆରମ୍ଭ କରିଥିଲେ । ଆଉ ଗତ ୨୩ ବର୍ଷ ହୋଇଯିବ ସେ ଚେନ୍ନାଇରେ ଅଟୋ ଚଲାଇ ଆସୁଛନ୍ତି । ସେ ଅଟୋ ଚଲାଇବା ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଅଟୋ ଚଲାଇବା ଶିଖାଇଥାନ୍ତି । କାରଣ ପାଠପଢାରୁ ବଞ୍ଚିତ ମହିଳାମାନେ ଅଟୋ ଚଳାଇ ନିଜ ଗୋଡରେ ନିଜେ ଛିଡା ହୋଇପାରିବେ ବୋଲି ସେ ଭାବନ୍ତି । ଏହାସହ ରାତି ୧୦ଟା ପରେ ସେ ଫ୍ରିରେ ଅଟୋ ସେବା ଦେଇଥାନ୍ତି । ଯଦି କେହି ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡିଥାନ୍ତି ତେବେ ସେମାନଙ୍କୁ ମଧ୍ୟ ସେ ନିଜ ଅଟୋରେ ବସାଇ ହସ୍ପିଟାଲରେ ପହଞ୍ଚାଇଥାନ୍ତି । ଯେତେ ରାତିରେ ଯିଏ ସାହାଯ୍ୟ ପାଇଁ କଲ କରନ୍ତି, ସଙ୍ଗେ ସଙ୍ଗେ ପହଞ୍ଚି ଯାଆନ୍ତି ରାଜି ଅଶୋକ । ତାଙ୍କର ଏର୍ହି ମଣିଷପଣିଆ ପାଇଁ ଆଜି ସେ ଘରେ ଘରେ ପରିଚିତ ।

hiranchal ad1
Leave A Reply

Your email address will not be published.

ten + three =