ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଆଗତ ହେବ କେନ୍ଦ୍ର ବଜେଟ । ବଜେଟକୁ ନେଇ ନାନା କଳ୍ପନାଜଳ୍ପନା ଇତିମଧ୍ୟରେ ଆରମ୍ଭ ହୋଇଯାଇଛି । ବଜେଟରେ କାହା ପାଇଁ କ’ଣ ରହିବ,ତାହା ଜାଣିବା ପାଇଁ ସବୁ ମହଲରେ ଉକ୍ରଣ୍ଠା ଦେଖାଦେଇଛି । ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କ ଏହି ବଜେଟ ପ୍ରସ୍ତୁତି ଟିମ୍ରେ କେଉଁମାନେ ଅଛନ୍ତି,ତାହା ମଧ୍ୟ ଜାଣିବା ଲାଗି ଉତ୍ସୁକତା ରହିଛି । ଆସନ୍ତୁ ଜାଣିବା.ଏହି ଟିମ୍ରେ କେଉଁମାନେ ଅଛନ୍ତି । ଟିମରେ ଅର୍ଥମନ୍ତ୍ରୀଙ୍କୁ ମିଶାଇ ମୋଟ ୬ ଜଣ ସଦସ୍ୟ ଅଛନ୍ତି । ସେମାନେ ହେଲେ ଦେବାଶିଷ ପଣ୍ଡା,ଟିଭି ସୋମନାଥନ,ତରୁଣ ବଜାଜ,ତୁହିନକାନ୍ତ ପାଣ୍ଡେ ଓ ଅଜୟ ସେଠ୍ । ଏବେ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ସଚିବ ଅଛନ୍ତି ଦେବାଶିଷ ପଣ୍ଡା ।
ବଜେଟରେ ଅର୍ଥ କ୍ଷେତ୍ର ସହ ଜଡ଼ିତ ସମସ୍ତ କାରବାର ତାଙ୍କ ଉପରେ ନ୍ୟସ୍ତ । ୧୯୮୭ ବ୍ୟାଚର ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ ହେଉଛନ୍ତି ଦେବାଶିଷ । ଆର୍ଥିକ ସ୍ଥିରତା ରକ୍ଷା ଲାଗି ଆରବିଆଇ ସହ ସେ ମିଶି କାମ କରନ୍ତି । ବ୍ୟୟ ବିଭାଗର ସଚିବ ହେଉଛନ୍ତି ଟିଭି ସୋମନାଥନ । ସେ ବିଶ୍ୱ ବ୍ୟାଙ୍କରେ କାମ କରି ସାରିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଂଯୁକ୍ତ ସଚିବ ରହି ସାରିଛନ୍ତି ।
୧୯୮୭ ବ୍ୟାଚର ତାମିଲନାଡ଼ୁ କ୍ୟାଡରର ଆଇଏଏସ୍ ଅଧିକାରୀ ସୋମନାଥନ । ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ସଚିବ ହେଉଛନ୍ତି ତରୁଣ ବଜାଜ । ୧୯୮୮ ବ୍ୟାଚର ହରିୟାଣା କ୍ୟାଡର ଆଇଏଏସ୍ ଅଫିସର ତରୁଣ । ଅର୍ଥ ମନ୍ତ୍ରଣାଳୟ ପୂର୍ବରୁ ତରୁଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । କରୋନାର ପ୍ରଥମ ଲହର ବେଳେ ସେ ଆର୍ଥିକ ବ୍ୟାପାର ସଚିବ ଭାବେ ଅର୍ଥ ମନ୍ତ୍ରଣାଳୟ ସହିତ ଅନେକ ଆଶ୍ୱସ୍ତି ପ୍ୟାକେଜରେ ସାମିଲ୍ ଥିଲେ । ତିନିଗୋଟି ଆତ୍ମନିର୍ଭର ଭାରତ ପ୍ୟାକେଜକୁ ପୂର୍ଣ୍ଣ ରୂପ ଦେବାରେ ତରୁଣଙ୍କର ବିୋଷ ଭୂମିକା ରହିଛି ।
ନିବେଶ ଓ ସର୍ବସାଧାରଣ ସମ୍ପତ୍ତି ପରିଚାଳନା ବିଭାଗର ସଚିବ ଅଛନ୍ତି ତୁହିନ୍ କାନ୍ତ । ସେ ୨୦୧୯ ଅକ୍ଟୋବରରେ ଡିଆଇପିଏଏମ୍ ସଚିବ ନିଯୁକ୍ତ ହୋଇଥିଲେ । ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ହେଉଛନ୍ତି ତୁହିନ୍ କାନ୍ତ । ଏୟାର ଇଣ୍ଡିଆର ଘରୋଇକରଣରେ ତାଙ୍କର ପ୍ରମୁଖ ଭୂମିକା ମଧ୍ୟ ରହିଛି ।
ଗତବର୍ଷ ଅପ୍ରେଲରେ ଅଜୟଙ୍କୁ ଆର୍ଥିକ ବ୍ୟାପାର ସଚିବ ଭାବେ ନିଯୁକ୍ତ କରାଯାଇଥିଲା ।
୧୯୮୭ ବ୍ୟାଚ କର୍ଣ୍ଣାଟକ କ୍ୟାଡରର ଆଇଏଏସ୍ ହେଉଛନ୍ତି ଅଜୟ । ସେ କର୍ଣ୍ଣାଟକରେ ବଜେଟ୍ ଓ ସଂଶାଧନ ଏବଂ ବାଣିଜ୍ୟିକ କର ବିଭାଗରେ କାର୍ଯ୍ୟ କରି ସାରିଛନ୍ତି ।