ଇସଲାମାବାଦ,୮/୪ : ପରିସ୍ଥିତି ସାଂଘାତିକ । କ୍ଷମତା ହାତରୁ ଯିବା ପ୍ରାୟ ନିଶ୍ଚିତ । ତଥାପି ଆଗୁଆ ଇସ୍ତଫା ଦେବାକୁ ନାରାଜ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଆଜି ସଫା ସଫା ସେ ଜଣାଇଦେଇଛନ୍ତି,ଆସନ୍ତା କାଲି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ । ସେ ଏହାକୁ ସାମ୍ନା କରିବେ ପଛେ,କିନ୍ତୁ ତା’ପୂର୍ବରୁ ଇସ୍ତଫା ଦେବେ ନାହିଁ । ଗତକାଲି ପାକିସ୍ତାନ ସୁପ୍ରିମ୍କୋର୍ଟ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ । ଏହା ସହିତ ସଂସଦ ଭଙ୍ଗ ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ବିଧାନର ପ୍ରକ୍ରିୟା ମୁତାବକ ହୋଇନଥିବାରୁ ଏହାକୁ କୋର୍ଟ ବେଆଇନ ଦର୍ଶାଇଥିଲେ । ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଇମ୍ରାନ ପୁଣିଥରେ ଦୋହରାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅନାସ୍ଥା ଭୋଟ ପୂର୍ବରୁ ଇମ୍ରାନ ଖାନ୍ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଯଦି ମୁଁ ଇସ୍ତଫା ଦେବି, ତେବେ ମୁଁ ବିଦେଶୀ ଷଡଯନ୍ତ୍ରକୁ ସମର୍ଥନ କରୁଛି ବୋଲି ପ୍ରମାଣ ହେବ, ଯାହା ମୁଁ କେବେ ହେବାକୁ ଦେବି ନାହିଁ । ଏହାପୂର୍ବରୁ ପାକିସ୍ତାନ ରାଜନୈତିକ କମିଟି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲା । ଏହା ବ୍ୟତୀତ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଇମ୍ରାନ ଖାନଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ । ହେଲେ ଏବେ ଇସ୍ତଫା ଆଦୌ ଦେବି ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କିଛି ସମୟ ପୂର୍ବରୁ ସୂଚନା ମିଳିଥିଲା ଯେ, ଇମ୍ରାନ ଖାନ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ । କିନ୍ତୁ ପରେ ସେ ତାଙ୍କ ମତ ବଦଳାଇଛନ୍ତି ।