ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ବରଂ ଏହା କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ। ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ନାଗରିକଙ୍କ ଜୀବନ ହରାଇଥିଲେ, ତାହାର ଜବାବରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ମେ ୭ ତାରିଖ ପ୍ରଭାତରେ ‘ଅପରେଶନ ସିନ୍ଦୂର’ ଜରିଆରେ ଆକ୍ରମଣ କରିଥିଲା। ଏହି ଅପରେଶନରେ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା।
ଏହି ଅବସରରେ ସେ ଭାରତୀୟ ସେନାର ଅଦମ୍ୟ ସାହସ ଓ ବୀରତ୍ୱକୁ ସାଲ୍ୟୁଟ କରିଛନ୍ତି। ଅପରେଶନ ସିନ୍ଦୁର ପ୍ରଥମଥର ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ସେନାର ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଆମ ସୈନିକମାନେ ଦେଶର ଗର୍ବ। ସୀମାରେ ଥାଇ ସେମାନେ ଆମକୁ ନିରାପଦ ରଖିଛନ୍ତି।”
ଏହା ସହିତ ପ୍ରଧାନମନ୍ତ୍ରୀ ଗୋଇନ୍ଦା ସଂସ୍ଥା ଓ ଦେଶର ବୈଜ୍ଞାନିକମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ସେମାନଙ୍କ ଅଭିନବ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ଦେଶର ପ୍ରତିରକ୍ଷା ଶକ୍ତିକୁ ଆହୁରି ସୁଦୃଢ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମ ବୈଜ୍ଞାନିକମାନଙ୍କ କାର୍ଯ୍ୟ ବିଶ୍ୱସ୍ତରୀୟ। ସେମାନଙ୍କ ଅବଦାନ ଭାରତକୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ।”

ଏହି ଅବସରରେ ଦେଶବାସୀଙ୍କୁ ଏକତା ଓ ସମର୍ପଣର ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତେ ମିଳିମିଶି ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢିତୋଳିବା ଆମର ଲକ୍ଷ୍ୟ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଆତଙ୍କବାଦ ଏବଂ ଆଲୋଚନା ଏକାଠି , ଆତଙ୍କବାଦ ଏବଂ ବାଣିଜ୍ୟ ଏକାଠି ଚାଲିପାରିବ ନାହିଁ। ପାଣି ଏବଂ ରକ୍ତ ମଧ୍ୟ ଏକାଠି ବହିପାରିବ ନାହିଁ।” ସେ ଆହୁରି ଜୋର ଦେଇ କହିଛନ୍ତି, “କୌଣସି ପରମାଣୁ ବ୍ଲାକମେଲ୍ ଭାରତ ସହ୍ୟ କରିବ ନାହିଁ। ଆତଙ୍କୀ ଆକ୍ରମଣର ଜବାବ ଭାରତ ନିଜ ସର୍ତ୍ତରେ ଦେବ ଏବଂ ଏହା ନିଶ୍ଚିତ ରୂପେ ସଠିକ୍ ଓ ନିର୍ଣ୍ଣାୟକ ହେବ।”
ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଆତଙ୍କବାଦକୁ ପୃଷ୍ଠପୋଷଣ କରୁଥିବା ସରକାର ଏବଂ ଆତଙ୍କୀ ସଂଗଠନମାନଙ୍କୁ ଭାରତ ଅଲଗା ଭାବେ ବିଚାର କରିବ ନାହିଁ। “ଆତଙ୍କୀ ଠିକଣାଗୁଡ଼ିକ ଉପରେ ଭାରତ ସଠିକ ଓ ନିର୍ଣ୍ଣାୟକ ପ୍ରହାର କରିବ,” ବୋଲି ସେ ଘୋଷଣା କରିଛନ୍ତି। ଏହା ସହ ସେ ପାକିସ୍ତାନର ପରମାଣୁ ଅସ୍ତ୍ର ବ୍ୟବହାରର ଧମକକୁ “ବ୍ଲାକମେଲ୍” ବୋଲି ଅଭିହିତ କରି ଏହାକୁ ପୂର୍ଣ୍ଣତଃ ଅଗ୍ରାହ୍ୟ କରିଛନ୍ତି।
