ISSରେ ପହଞ୍ଚିବା ପରେ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଭିଡିଓ କନଫରେନ୍ସ ମାଧ୍ୟମରେ ୧୮ ମିନିଟ୍ ଧରି ମୋଦି ଶୁଭାଂଶୁଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ମହାକାଶରେ ପତାକା ଉଡାଇ ଗର୍ବ ଅନୁଭବ କରିଥିବା ମୋଦିଙ୍କୁ ସେ କହିଛନ୍ତି । ଅପରପକ୍ଷେ ଶୁଭାଂଶୁଙ୍କ ଏପରି ପଦକ୍ଷେପ ପାଇଁ ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି ।
ସୂଚନାନୁଯାୟୀ, ‘Axiom-4’ ମିଶନ ପାଇଁ ଅନ୍ୟ ୩ ଜଣ ମହାକାଶଚାରୀଙ୍କ ସହିତ ଶୁଭାଂଶୁ ISSରେ ପହଞ୍ଚିଥିଲେ । ସେଠାରେ ୧୪ ଦିନ ରହି ପରୀକ୍ଷଣ କରିବେ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ ଶୁଭାଂଶୁ । ମୋଦିଙ୍କୁ ସେ କହିଥିଲେ ଯେ, ମହାକାଶରେ ସବୁକିଛି ଭିନ୍ନ । ସେ ଆହୁରି କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ସମୟରେ ମୋର ଗୋଡ଼ ବନ୍ଧା ହୋଇଥିଲା, ନଚେତ୍ ମୁଁ ଭାସିବା ଆରମ୍ଭ କରିଥାଆନ୍ତି।’

ସେ ଏହା ମଧ୍ୟ କହିଥିଲେ ଯେ ପାଣି ପିଇବା, ଶୋଇବା ଭଳି ଛୋଟ ଛୋଟ ଜିନିଷ ପାଇଁ ମହାକାଶରେ କଷ୍ଟକର ହେଉଛି । କମାଣ୍ଡର ପେଗି ହ୍ୱିଟସନ ଏୟାରଲକରେ, ଶୁକ୍ଲା ଡ୍ରାଗନରେ, ସ୍ଲାଭୋଜ ଉଜ୍ଞାନସ୍କି-ୱିସନିୱସ୍କି କଲମ୍ବସରେ ଏବଂ ଟିବୋର କାପୁ ଜାପାନୀ ପରୀକ୍ଷଣ ମଡ୍ୟୁଲରେ ରହିଛନ୍ତି । ସେମାନେ ‘ଏକ୍ସପିଡିସନ୍ ୭୩’ ର କ୍ରୁ ସହିତ ଆବଶ୍ୟକୀୟ କାର୍ଯ୍ୟ ସମାପ୍ତ କରିଥିଲେ । ମହାକାଶରେ ହେଉଥିବା ବୈଜ୍ଞାନିକ ପରୀକ୍ଷଣ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଶୁଭାଂଶୁ । ଏହି ମିଶନ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ।
ଏଥି ସହିତ ଶୁଭାଂଶୁ ସେଠାରେ ଗାଜର ହାଲୱା, ମୁଗ ହାଲୱା ଏବଂ ଆମ୍ବ ରସ ଖାଇଥିଲେ । ଅନ୍ୟ ଦେଶରୁ ଯାଇଥିବା ସହକାରୀ ସମସ୍ତେ ଭାରତୀୟ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରନ୍ତୁ ବୋଲି ସେ ଚାହୁଁଥିଲେ । ସେମାନେ ସମସ୍ତେ ଏହାକୁ ଏକାଠି ଖାଇଥିଲେ ଏବଂ ସମସ୍ତେ ଏହାକୁ ପସନ୍ଦ କରିଥିଲେ ।’
