ଦିନକ ଆଗରୁ ବନ୍ଦ ହେଲା ସଂସଦ ଅଧିବେଶନ

0 53

ନୂଆଦିଲ୍ଲୀ: ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି । ଦିନକ ଆଗରୁ ମୁଲତବୀ ଘୋଷଣା ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭା । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ତୈଳଦର, ଦରଦାମ ବୃଦ୍ଧି ଓ ବିଜେପି ନେତା କିରୀଟ ସୋମାୟାଙ୍କ ନାଁରେ ଆସିଥିବା ୫୭ କୋଟି ଟଙ୍କାର ଦୁର୍ନୀତି କଥା ଉଠାଇଥିଲେ । ଏହାକୁ କେନ୍ଦ୍ର କରି ନାରାବାଜୀ ବଢିବାରୁ ଉଭୟ ଗୃହ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ହୋଇଯାଇଛି । ସଂସଦର ଏହି ଅଧିବେଶ ଆସନ୍ତାକାଲି ଯାଏ ଚାଲିବାର ଥିଲା । ହେଲେ ଦିନକ ଆଗରୁ ହଠାତ୍‌ ଏହାକୁ ବନ୍ଦ କରିଦେବା ଘଟଣା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ତୈଳଦର ବୃଦ୍ଧି ଓ ଦଳୀୟ ନେତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ସରକାର ଆଲୋଚନା କରିବାକୁ ଚାହୁଁ ନଥିବାରୁ ଏପରି ପଦକ୍ଷେପ ନେଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଆଜି ରାଜ୍ୟସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶିବସେନା ଓ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ନାରାବାଜୀ କରିଥିଲେ । ଶିବସେନା ସାଂସଦମାନେ ବିଜେପି ନେତା କିରୀଟ ସୋମାୟାଙ୍କ ବିରୋଧରେ ୫୭ କୋଟି ଦୁର୍ନୀତି ଘଟଣାରେ ରୁଜୁ ହୋଇଥିବା ପ୍ରସଙ୍ଗ ଉଠାଇଥିଲେ । ସେହିପରି ଟିଏମସି ସାଂସଦମାନେ ପୂରା ଅଧିବେଶନରେ ତୈଳଦର ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇ ନଥିବା କହିଥିଲେ । କଂଗ୍ରେସ ସାଂସଦମାନେ କହିଥିଲେ ଯେ ଯଦି ଦରବୃଦ୍ଧି ସମ୍ପର୍କରେ ଆଲୋଚନା ପାଇଁ ଅନୁମତି ଦିଆଯାଉନି, ତା’ହେଲେ କିରୀଟ ସୋମାୟାଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଉ । ଏହି ସବୁ ଦାବି ସପକ୍ଷରେ ବିରୋଧୀ ସ୍ୱର ଶାଣିତ କରିବାରୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ତୁରନ୍ତ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଲୋକସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ବାଚସ୍ପତି ଓମ ବିର୍ଲା ଗୃହକୁ ଆସିବା କ୍ଷଣି କଂଗ୍ରେସ ସାଂସଦଙ୍କ ପକ୍ଷରୁ ତୈଳ ବୃଦ୍ଧି ସମ୍ପର୍କରେ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା । ତଥାପି ବାଚସ୍ପତି ଓମ ବିର୍ଲା ଚଳିତ ଅଧିବେଶନରେ ଗୃହ କାର୍ଯ୍ୟ କେମିତି ଚାଲିଥିଲା, ତା’ର ତଥ୍ୟ ଉପସ୍ଥାପନ କରିଥିଲେ । ଏହାପରେ ଲୋକସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଫେବୃଆରୀ ୧୧ ଯାଏ ଚାଲିଥିଲା । ଏହାପରେ ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇଥିଲା ।

hiranchal ad1
Leave A Reply

Your email address will not be published.

two + 7 =