ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ୭ ପ୍ରଭାବଶାଳୀ ନେତା

0 139

ନୂଆଦିଲ୍ଲୀ:୨୦ ବର୍ଷ ପରେ,ଆମେରିକା ସେନା ଆଫଗାନିସ୍ତାନରୁ ଫେରିବା ମାତ୍ରେ କାବୁଲକୁ ଦଖଲ କରିଥିବା ଆତଙ୍କବାଦୀ ସଂଗଠନ ତାଲିବାନର ସାହସ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି । ଆଫଗାନିସ୍ତାନରେ ନୂତନ ତାଲିବାନ ସରକାରକୁ ସ୍ୱୀକୃତି ଦେବାକୁ ଚୀନ୍‌ ଏବଂ ଋଷ ସହମତି ଦେଇଥିବାବେଳେ ଆମେରିକା ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରହଣ କରିନାହିଁ । ଏବେ ପ୍ରଶ୍ନ ଉଠିଛି ଯେ ଏହି ଆତଙ୍କବାଦୀ ସଂଗଠନର ସରକାରକୁ କିଏ ନେତୃତ୍ୱ ଦେବ ? ଶୀର୍ଷରେ ଥିବା ନେତାମାନଙ୍କ ବିଷୟରେ ଆସନ୍ତୁ ଜାଣିବା ।
ହେବତୁଲ୍ଲାହ ଅରୁନ୍ଦଜାଦା
ଏହି ବ୍ୟକ୍ତି ହେଉଛନ୍ତି ତାଲିବାନର ସର୍ବୋଚ୍ଚ଼ କମାଣ୍ଡର । ତାଲିବାନର ଶେଷ ନିଷ୍ପତ୍ତି ଏହି ବ୍ୟକ୍ତି ହିଁ ନିଅନ୍ତି । ୧୯୬୧ ମସିହାରେ ଜନ୍ମ ହୋଇଥିବା ଅରୁନ୍ଦଜାଦା ୨୦୧୬ ରେ ତାଲିବାନ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପୂର୍ବରୁ ସେ ପାକିସ୍ତାନର ଏକ ମସଜିଦରେ ଶିକ୍ଷାଦାନ କରୁଥିଲେ, କିନ୍ତୁ ତାଲିବାନ ସହ ଯୋଗାଯୋଗ କରିବା ପରେ ସେ ତାଲିବାନ ଆତଙ୍କବାଦୀ ହୋଇଥିଲେ । ଏହାପୂର୍ବରୁ ସେ ଜଣେ ଧାର୍ମିକ ନେତା ଭାବରେ ପରିଚିତ ଥିଲେ । ଇ ଏ ହେଉଛନ୍ତି ତୃତୀୟ ତାଲିବାନ କମାଣ୍ଡର ।
ମୁଲ୍ଲା ଅବଦୁଲ ଘାନି ବାରାଦର
ଏହି ବ୍ୟକ୍ତି ହେଉଛନ୍ତି ତାଲିବାନର ଡେପୁଟି ନେତା ଏବଂ ସବୁଠାରୁ ଲୋକପ୍ରିୟ ଚେହେରା । ତାଲିବାନର ରାଜନୈତିକ ୟୁନିଟର ମୁଖ୍ୟ ହେଉଛନ୍ତି ବାରଦାର । ସେ ଆଫଗାନିସ୍ତାନର ରାଷ୍ଟ୍ରପତି ହେବାକୁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ । ୨୦୧୦ ମସିହାରେ, ଆଇଏସଆଇ ଏହାକୁ କରାଚିରୁ ଗିରଫ କରିଥିଲା । କିନ୍ତୁ ଚୁକ୍ତି ପରେ ଏହାକୁ ୨୦୧୮ ରେ ପାକିସ୍ତାନ ମୁକ୍ତ କରିଥିଲା । ବାରଦାର ୧୯୬୮ ମସିହାରେ ଉରୁଜଗାନ୍‌ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲା । ୧୯୮୦ ଦଶକରେ ସୋଭିଏତ୍‌ ସୈନ୍ୟଙ୍କ ବିରୁଦ୍ଧରେ ଆଫଗାନିସ୍ତାନ ମୁଜାହିଦ୍ଦିନରେ ବାରାଦାର ଯୁଦ୍ଧ କରିଥିଲା ।
ସିରାଜୁଦ୍ଦିନ ହକ୍କାନି
ସେ ତାଙ୍କ ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆତଙ୍କବାଦୀ ସଂଗଠନ ହକ୍କାନି ନେଟୱାର୍କର ମୁଖ୍ୟ । ହକ୍କାନି ନେଟୱାର୍କ ୨୦୧୬ ରେ ତାଲିବାନ ସହିତ ମିଶ୍ରିତ ହୋଇଥିଲା । ସେ ବର୍ତ୍ତମାନ ତାଲିବାନର ଡେପୁଟି ନେତା । ହକ୍କାନି ତାଲିବାନର ଆର୍ଥିକ ସମ୍ବଳ ପରିଚାଳନା କରେ । ଅନେକ ହାଇ ପ୍ରୋଫାଇଲ୍‌ ଆକ୍ରମଣରେ ସାମିଲ ଥିବା ଜଣାପଡିଛି । ନିକଟରେ ସିରାଜୁଦ୍ଦିନ ହକ୍କାନି କରୋନାଭାଇରସ ସଂକ୍ରମଣରେ ପୀଡିତ ହେବା ପରେ କରାଚିର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା । ତେବେ ତାଲିବାନ ଏହାକୁ ଅସ୍ୱୀକାର କରିଛି । ଏହାର ବୟସ ୪୦ ରୁ ୫୦ ବର୍ଷ ମଧ୍ୟରେ ବୋଲି କୁହାଯାଏ ।
ମହମ୍ମଦ ୟାକୋବ
ୟାକୁବ ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ । ୟାକୁବ ତାଲିବାନର ସାମରିକ ବିଭାଗରେ ନେତୃତ୍ୱ ନେଇଥାଏ । ତାଲିବାନ ଏବଂ ଅଲ-କାଏଦାର କଣ୍ଠରପନ୍ଥୀ ମଦ୍ରାସାରେ ୟାକୁବ ତାଲିମ ଗ୍ରହଣ କରିଛି । ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଜହରଙ୍କ ତତ୍ତ୍ୱାବଧାନରେ ଯୁଦ୍ଧ ଓ ଅସ୍ତ୍ରଶସ୍ତ୍ର ଚାଲାଣ ଶିଖିଛି ।
ଅବଦୁଲ ହାକିମ ହକ୍କାନି
ଏହି ବ୍ୟକ୍ତି ହେଉଛନ୍ତି ତାଲିବାନର ମୁଖ୍ୟ ମୁଖପାତ୍ର ଏବଂ ଶାନ୍ତି ଆଲୋଚନା ଦଳର ସଦସ୍ୟ । ସେହିପରି ହାକିମ ହକ୍କାନି ତାଲିବାନର ନ୍ୟାୟ ବିଭାଗର ମୁଖ୍ୟ ମଧ୍ୟ ରହିଛନ୍ତି । ହାକିମ ହେଉଛି ତାଲିବାନର ସର୍ବୋଚ୍ଚ଼ କମାଣ୍ଡରଙ୍କ ଡାହାଣ ହାତ । ତାଲିବାନର ଶାସନ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏହି ବ୍ୟକ୍ତିଙ୍କ କାନ୍ଧରେ ରହିଛି ।
ଶେର୍‌ ମହମ୍ମଦ ଅବ୍ୱାସ ଷ୍ଟାନିକଜଇ
ସେ ତାଲିବାନ ସରକାରରେ ଜଣେ ଡେପୁଟି ମନ୍ତ୍ରୀ ରହିଛନ୍ତି । ଷ୍ଟାନିକଜାଇ ଜଣେ କଠୋର ଧାର୍ମିକ ନେତା ତଥା ବିଶିଷ୍ଟ କୂଟନୀତିଜ୍ଞ । ଏହା ଗତ ଏକ ଦଶନ୍ଧି ଧରି ଦୋହାରେ ରହୁଛି । ୨୦୧୫ ରେ ତାଙ୍କୁ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ କରାଯାଇଥିଲା । ଆଫଗାନିସ୍ତାନ ଶାନ୍ତି ଆଲୋଚନାରେ ଏକ ପ୍ରମୁଖ ମୁଖାପାତ୍ର ହୋଇପାରିଛନ୍ତି । ସେ ରାଜନୀତି ବିଜ୍ଞାନରେ ଏମଏ ଡିଗ୍ରୀ ହାସଲ କରିଛନ୍ତି ।
ଜବିହୁଲ୍ଲାହ ମୁଜାହିଦ
ସେ ତାଲିବାନର ମୁଖ୍ୟ ମୁଖପାତ୍ର ଅଟନ୍ତି । ତାଲିବାନ କାବୁଲକୁ କାବୁ କରିବା ପରେ ଗଣମାଧ୍ୟମଙ୍କ ଆଗରେ ସମସ୍ତ ତଥ୍ୟ ରଖିଥିଲେ ଏହି ତାଲିବାନୀ ନେତା । ଆଫଗାନିସ୍ତାନର ନୂତନ ସରକାର କିପରି ହେବ ସେ ବିଷୟରେ କହିଥିଲେ । ସେ ୨୦ ବର୍ଷ ଧରି ଫୋନ୍‌ ବାର୍ତ୍ତା ମାଧ୍ୟମରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − two =