ନୂଆଦିଲ୍ଲୀ,୨୯/୩ : ଆସାମ ଓ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷ ହେଲା ଜାରି ରହିଥିବା ସୀମା ବିବାଦର ଅବସାନ ଘଟିଛି । ଆଜି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଉକ୍ତ ଶାନ୍ତି ଚୁକ୍ତିରେ ଦସ୍ତଖତ କରିଛନ୍ତି । ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଚୁକ୍ତି ସମୟରେ ଉପସ୍ଥିତ ରହିଥିଲେ । ଦୀର୍ଘ ଦଶନ୍ଧି ଧରି ଚାଲିଥିବା ବିବାଦର ସମାଧାନ ହୋଇଥିବାରୁ ଶ୍ରୀ ଶାହ ଉତ୍ତର-ପୂର୍ବ ରାଜ୍ୟ ପାଇଁ ଆଜି ଗୋଟିଏ ଐତିହାସିକ ଦିନ ବୋଲି କହିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଫିସରେ ଚୁକ୍ତି ସ୍ୱାକ୍ଷରିତ ହେବା ସମୟରେ ମେଘାଳୟର ୧୧ ଜଣ ଓ ଆସାମର ୯ ଜଣ ଅଧିକାରୀ ଉପସ୍ଥିତ ରହିଥିଲେ । ସୀମା ବିବାଦର ସମାଧାନ କରିବାକୁ ଉଭୟ ଆସାମ ଓ ମେଘାଳୟ ଚିଠା ପ୍ରସ୍ତାବ ପ୍ରଥମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ପଠାଇଥିଲେ । ୧୨ ରିଜନରୁ ୬ଟି ବିବାଦୀୟ ଅଞ୍ଚଳର ସମାଧାନ ପାଇଁ ଚିଠି ପ୍ରସ୍ତାବରେ ବ୍ୟବସ୍ଥା ହୋଇଥିଲା । ଆସାମ ଓ ମେଘାଳୟ ମଧ୍ୟରେ ୮୮୫ କିମି ସୀମା ରହିଛି । ଦୁଇ ରାଜ୍ୟ ମଧ୍ୟରେ ଉପର ତାରାବାରି, ଗାଜାଙ୍ଗ ସଂରକ୍ଷିତ ଜଙ୍ଗଲ, ହାହିମ, ଲାଙ୍ଗପି, ବୋରଦୌର, ବୋକଲାପଡା, ନୋଙ୍ଗୱା, ମାତାମଉର, ଖାନାପଡା-ପିଲାଙ୍ଗକାଟା, ଦେଶଦେମୋରେହା ବ୍ଲକ-୧ ଓ ବ୍ଲକ ୨, ଖାଣ୍ଡୁଲି ଏବଂ ରେଟାଚେରା ଅଞ୍ଚଳକୁ ନେଇ ବିବାଦ ଲାଗି ରହିଥିଲା । ଏହି ସବୁ ଅଞ୍ଚଳ ଦୁଇ ରାଜ୍ୟର ସୀମାରେ ଅବସ୍ଥିତ । ଏହା ଉପରେ ଉଭୟ ରାଜ୍ୟ ନିଜର ଅଧିକାର ଜାହିର କରି ଚାଲିଥିଲେ । ତେଣୁ ଅନେକ ସମୟରେ ସୀମାରେ ଉତ୍ତଜନା ଦେଖିବାକୁ ମିଳୁଥିଲା ।