ଆସ୍ଥା ଭୋଟ ଜିତିଲେ ସୋରେନ

0 74

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭାରେ ଆଜି ହୋଇଥିବା ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆସ୍ଥା ଭୋଟ୍‌ରେ ସୋରେନ୍‌ଙ୍କ ସପକ୍ଷରେ ସମୁଦାୟ ୪୮ଟି ଭୋଟ୍‌ ପଡିଥିଲା । ଦୁର୍ନୀତି ଅଭିଯୋଗ ଆସିବା ପରେ ଅଡୁଆରେ ପଡିଯାଇଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଆଜି ଝାଡଖଣ୍ଡ ବିଧାନସଭାର ଦିନିକିଆ ବିଶେଷ ଅଧିବେଶନ ଡକାଇ ଆସ୍ଥା ଭୋଟ୍‌ ପାଇଁ ପ୍ରସ୍ତାବ ଦେବା ସହ କହିଥିଲେ,ବିରୋଧୀ ଦଳ ଗଣତନ୍ତ୍ରକୁ ନଷ୍ଟ କରି ଦେଇଛି । ‘ବିଜେପି’ ବିଧାୟକମାନଙ୍କ ଘୋଡା ବେପାରରେ ମାତିଛି । ଆମେ ବିଧାନସଭାରେ ଆମର ସାମର୍ଥ୍ୟ ପ୍ରତିପାଦନ କରିବୁ । ଲୋକେ ଲୁଗାପଟା,ରେସନ୍‌,ସଉଦାପତ୍ର ଆଦି କିଣିବା କଥା ଆମେ ଶୁଣିଛୁ । କିନ୍ତୁ, କେବଳ ‘ବିଜେପି’ ହିଁ ବିଧାୟକମାନଙ୍କୁ କିଣୁଛି । ସୂଚନାଯୋଗ୍ୟ, ବିରୋଧୀ ‘ବିଜେପି’ର ବିଧାୟକ କିଣା ପ୍ରତିହତ କରିବା ପାଇଁ ଝାଡଖଣ୍ଡର ଶାସକ ମେଣ୍ଟ ବିଧାୟକମାନଙ୍କୁ କଂଗ୍ରେସ ଶାସିତ ଛତିଶଗଡରେ ଗୋଟାଏ ସୌଖିନ ରିସର୍ଟରେ ରଖାଯାଇଥିଲା । ଗତକାଲି ଏକ ସ୍ୱତନ୍ତ୍ର ବିମାନରେ ସେମାନଙ୍କୁ ଝାଡଖଣ୍ଡର ରାଜଧାନୀ ରାଞ୍ଚିକୁ ଅଣାଯାଇଥିଲା । ରାଜ୍ୟ ଅତିଥି ଭବନରେ ବିଧାୟକମାନେ ଏକତ୍ର ରାତ୍ରଯାପନ କରିବା ପରେ ଆଜି ସକାଳେ ସିଧା ବିଧାନସଭାରେ ପହଞ୍ଚିଥିଲେ । ଆସ୍ଥା ଭୋଟ୍‌ କାହିଁକି ନିଆଯାଉଛି ବୋଲି ପଚାରିବାରୁ,ସୋରେନ୍‌ ସାମ୍ବାଦିକମାନଙ୍କୁ କହିଥିଲେ, ଆସ୍ଥା ଭୋଟ୍‌ ନେବ କିଏ? ବିରୋଧୀ ଦଳ? ମତେ ହଟାଇବା ପାଇଁ ବିରୋଧୀ ଷଡଯନ୍ତ୍ର ଜାଲ ବିଛାଇଛି । ସେମାନଙ୍କ ନିର୍ମିତ ଜାଲରେ ସେମାନେ ହିଁ ପଡିବେ । ନିଜ ନାମରେ ଖଣି ଲିଜ୍‌ କରି ନିର୍ବାଚନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହେଉଥିବାରୁ ହେମନ୍ତ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ କରାଯିବା ଉଚିତ ବୋଲି ବିରୋଧୀ ‘ବିଜେପି’ ଦାବି କରିଛି ।

hiranchal ad1
Leave A Reply

Your email address will not be published.

thirteen − 6 =