ଅଭୂତପୂର୍ବ ଅର୍ଥ ସଙ୍କଟ : କାଗଜ ଅଭାବରୁ ପିଲାଙ୍କ ପରୀକ୍ଷା ବନ୍ଦ!

0 102

କଲମ୍ବୋ,୨୦/୩ : ଶ୍ରୀଲଙ୍କାରେ ଏବେ ଦେଖାଦେଇଛି ଅଭୂତପୂର୍ବ ଅର୍ଥ ସଙ୍କଟ । ଏମିତି ଆଗରୁ କେବେ ବି ଦେଖା ଦେଇନଥିଲା । ଅବସ୍ଥା ଏମିତି ହୋଇଛି ଯେ କାଗଜ କିଣିବାକୁ ବି ସରକାରଙ୍କ ପାଖରେ ପଇସା ନାହିଁ । ଶୁଣିଲେ ଅବିଶ୍ୱାସ ଓ ଆଶ୍ଚର୍ଯ୍ୟ ଲାଗିବ ଯେ ଅର୍ଥାଭାବ ଯୋଗୁ କାଗଜ କିଣାଯାଇ ନପାରିବାରୁ ଦେଶରେ ପରୀକ୍ଷା ବନ୍ଦ କରିବାକୁ ପଡ଼ିଛି । ପରୀକ୍ଷା କେବେ ହେବ,ସେନେଇ ଏବେ ଯାଏଁ କୌଣସି ସୂଚନା ଦିଆଯାଇନାହିଁ । ଦେଶରେ ପେପର କିଣିବାକୁ ଅର୍ଥ ନାହିଁ । ଫଳରେ ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷା ରଦ୍ଦ କରାଯାଇଛି । ବାହାରୁ ପେପର୍‌ ଆମଦାନୀ କରିବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଅର୍ଥ ନାହିଁ । ମାର୍ଚ୍ଚ ୨୧ ତାରିଖରେ ସ୍କୁଲ ଛାତ୍ରଛାତ୍ରୀଙ୍କର ଟର୍ମ ପରୀକ୍ଷା ହେବାର ଥିଲା । କିନ୍ତୁ ଦେଶରେ କାଗଜର ଘୋର ଅଭାବ ଯୋଗୁଁ ପରୀକ୍ଷାକୁ ଅନିଶ୍ଚିତ କାଳ ପାଇଁ ରଦ୍ଦ କରିଦିଆଯାଇଛି । ୧୯୪୮ରେ ସ୍ୱାଧୀନତା ପାଇବା ପରେ ଏହା ହେଉଛି ଶ୍ରୀଲଙ୍କାର ସବୁଠୁ ବଡ ଆର୍ଥିକ ସଙ୍କଟ । ଦେଶର ପଶ୍ଚିମ ପ୍ରାନ୍ତ ଶିକ୍ଷା ଅଧିକାରୀଙ୍କ କହିବା ମୁତାବକ, ଦେଶରେ ବିଦେଶୀ ମୁଦ୍ରା ନାହିଁ । ଫଳରେ ପେପର ଓ କାଳି ବାହାରୁ ଆମଦାନୀ କରିହେଉ ନାହିଁ । ଯେଉଁଥିପାଇଁ ଅଧିକାଂଶ ସ୍କୁଲର ପ୍ରିନ୍ସିପାଲ ପରୀକ୍ଷା ଆୟୋଜନ କରିପାରୁନାହାଁନ୍ତି । ଏହି କାରଣରୁ ଶ୍ରୀଲଙ୍କାର ଦୁଇ ତୃତୀୟାଂଶ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । ସର୍ଭେ ଅନୁସାରେ, ଶ୍ରୀଲଙ୍କାରେ ମୋଟ ୪୫ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି । ଶ୍ରୀଲଙ୍କାରେ ଟେଷ୍ଟ ହିଁ ଅନ୍ତିମ ପରୀକ୍ଷା ଯାହା ଆଧାରରେ ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତିର୍ଣ୍ଣ ହୁଅନ୍ତି । ହେଲେ ବିଦେଶୀ ମୁଦ୍ରା ଅଭାବରୁ ପେପର୍‌ ହେଉ କି କାଳି କିଛି ବି କିଣାଯାଇପାରୁନଥିବାରୁ ଏହି ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି । କେବଳ ପରୀକ୍ଷା ନୁହେଁ ବିଦେଶୀ ମୁଦ୍ରାର ଅଭାବ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀକୁ ଆମଦାନୀ କରିପାରୁନାହାଁନ୍ତି ଶ୍ରୀଲଙ୍କା ସରକାର ।

hiranchal ad1
Leave A Reply

Your email address will not be published.

eighteen + nineteen =