ଅତୀତର ସବୁ ରେକର୍ଡ ଭାଙ୍ଗିବ ଚଳିତବର୍ଷର ଗ୍ରୀଷ୍ମ

0 92

ନୂଆଦିଲ୍ଲୀ,୨୫/୩ : ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ଯେଭଳି ପୂର୍ବାନୁମାନ କରିଛି,ତାହା ଅତ୍ୟନ୍ତ ଚିନ୍ତାଜନକ । ବିଭାଗର ଆକଳନ ଅନୁଯାୟୀ,ଚଳିତବର୍ଷ ଗ୍ରୀଷ୍ମ ଅତୀତର ସବୁ ରେକର୍ଡ ଭାଙ୍ଗିବ । ମାର୍ଚ୍ଚ ସରି ନଥିବା ବେଳେ ରାଜଧାନୀ ଦିଲ୍ଲୀରେ ଦିନର ତାପମାତ୍ରା ୩୫.୫ ଡିଗ୍ରି ସେଲସିୟସକୁ ପହଞ୍ଚିଛି । କେବଳ ଦିଲ୍ଲୀ ନୁହେଁ, ଉତ୍ତର ଭାରତରେ ଏବେ ଗ୍ରୀଷ୍ମ ଅନୁଭୂତ ହେଉଛି । ରାଜଧାନୀ ଦିଲ୍ଲୀରେ ଆଗାମୀ ୨ରୁ ୩ ଦିନ ବେଳକୁ ତାପମାତ୍ରାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି । ମାର୍ଚ୍ଚ ୨୯ ଓ ୩୦ ତାରିଖ ବେଳକୁ ଉତ୍ତର ଭାରତର କେତେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରିକୁ ପହଞ୍ଚିପାରେ । ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ପାଗରେ ସେପରି କୌଣସି ପରିବର୍ତ୍ତନ ଆଶଙ୍କା କରାଯାଉନଥିବା ବେଳେ ୨୭ ତାରିଖ ପରଠାରୁ ତାପମାତ୍ରା ବୃଦ୍ଧିର ଆକଳନ କରାଯାଉଛି । ମାର୍ଚ୍ଚ ୨୭ ତାରିଖ ପରେ ତାପମାତ୍ରା ୩୭ ରୁ ୩୮ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆଶଙ୍କା କରୁଥିବା ବେଳେ ପରେ କ୍ରମଶଃ ବଢିବାରେ ଲାଗିବ । ସାଧାରଣତଃ ଏପ୍ରିଲ ପ୍ରଥମ ସପ୍ତାହ ପରେ ଦେଶରେ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହେଉଥାଏ । ହେଲେ ଚଳିତବର୍ଷ କଥା କିନ୍ତୁ ଭିନ୍ନ । ମାର୍ଚ୍ଚ ୧୫ ତାରିଖ ବେଳକୁ ପଶ୍ଚିମ,ମଧ୍ୟ ଓ ଦକ୍ଷିଣ ଭାରତରେ ଲୁ’ର ପ୍ରକୋପ ଅନୁଭୂତ ହୋଇଥିଲା । ଏଥିଲାଗି ପାଣିପାଗ ବିଭାଗ ଲୁ ସତର୍କତା ଜାରି କରିଥିଲେ । ଏଥର ଏପ୍ରିଲ ପ୍ରଥମ ସପ୍ତାହ ବେଳକୁ ଦେଶର ଅଧିକାଂଶ ସହରାଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ । ଏଥିରେ ଯେଉଁ ସବୁ ସ୍ଥାନରେ ବସନ୍ତ ଋତୁ ମଧ୍ୟକାଳରେ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହେଉଥିଲା ସେ ସବୁ କ୍ଷେତ୍ରରେ ମଧ୍ୟ ତାପମାତ୍ରା ଅଧିକ ବଢିପାରେ ବୋଲି ଆକଳନ କରାଯାଉଛି ।

hiranchal ad1
Leave A Reply

Your email address will not be published.

3 × 3 =