ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ

0 46

ନୂଆଦିଲ୍ଲୀ: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଏବଂ ରାଷ୍ଟ୍ରପତି ନିର୍ବାଚନ ମ୍‌ଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଲୋକସଭାରେ ବାଚସ୍ପତି ଓମ୍‌ ବିର୍ଲା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିନ୍‌ଜୋ ଆବେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ । ଉଭୟ ଗୃହକୁ ନିର୍ବାଚିତ ସଦସ୍ୟମାନେ ଆଜି ଶପଥ ଗ୍ରହଣ କରିଥିଲେ । ସେପଟେ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ବିତର୍କରେ ଅଂଶଗ୍ରହଣ କରି ଅଧିବେଶନକୁ ଯେତେ ପାରିବା ସେତେ ଅଧିକ ଫଳପ୍ରସୂ କରିବା ଲାଗି ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି । ସଂସଦ ପରିସରରେ ପହଞ୍ଚି ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ,ସମସ୍ତଙ୍କ ପ୍ରୟାସ ବଳରେ ସଂସଦ କାର୍ଯ୍ୟ କରେ ଏବଂ ସର୍ବୋତ୍ତମ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ସମସ୍ତ ସାଂସଦଙ୍କୁ ଅନୁରୋଧ କରୁଛ,ି ସେମାନେ ଏହି ଅଧିବେଶନର ପୂର୍ଣ୍ଣ ସଦୁପଯୋଗ କରନ୍ତୁ । ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଏବଂ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଥିବାରୁ ସଂସଦର ଏହି ଅଧିବେଶନ ବେଶ୍‌ ଗୁରୁତ୍ୱ ବହନ କରୁଥିବା କଥା ସେ କହିଛନ୍ତି । ମନରେ ଦ୍ୱିଧା ନ ରଖି ସଂସଦରେ ବିତର୍କ ଓ ଆଲୋଚନା ହେବା ଉଚିତ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଶୀର୍ଷସ୍ତରୀୟ ମନ୍ତ୍ରୀମାନଙ୍କ ସହିତ ସଂସଦ ପରିସରରେ ବୈଠକ କରିଥିଲେ । ସୂଚନାଯୋଗ୍ୟ,ଆଜି ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦେଶର ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ହୋଇଛି । ଅଧିବେଶନ ଆଗରୁ ଆଜି ସକାଳେ ବାଚସ୍ପତି ଓମ୍‌ ବିର୍ଲା ଟୁଇଟ୍‌ କରି ଲେଖିଥିଲେ: ସକାଳ ୧୧ଟା ବେଳେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଜନସାଧାଣଙ୍କ ସ୍ୱାର୍ଥଜଡିତ ବିଷୟ ଉପରେ ସାର୍ଥକ ଆଲୋଚନା ହେବ ବୋଲି ଦେଶବାସୀ ଚାହିଁ ବସିଛନ୍ତି । ମାନନୀୟ ସଦସ୍ୟମାନେ ଦେଶର ହିତ ନିମନ୍ତେ ଆଗତ ବିଷୟବସ୍ତୁ ଉପରେ ସକାରାତ୍ମକ ବିଚାରଧାରା ବ୍ୟକ୍ତ କରିବେ । ଆଶା କରେ, ସବୁ ଦଳ ଗୃହର ସମ୍ମାନ ଓ ଶାଳୀନତାକୁ ସମୃଦ୍ଧ କରି ଯୋଗଦେବେ ବୋଲି ସେ କହିଥଲେ ।

hiranchal ad1
Leave A Reply

Your email address will not be published.

three × 3 =