ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

0 173

ଲିଡ୍ସ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଲିଡ୍ସ ଗ୍ରାଉଣ୍ଡରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଲାଗି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ଟେଷ୍ଟ ସହିତ ନୂଆ ଅଧିନାୟକ ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବ। ଏପର୍ଯ୍ୟନ୍ତ କେବଳ ୩ ଭାରତୀୟ ଦଳ ଯଥା ଅଜିତ ଓ୍ବାଡେକରଙ୍କ ବ୍ୟାଚ୍‌ ୧୯୭୧ରେ, କପିଳ ଦେବଙ୍କ ଟିମ୍‌ ୧୯୮୬ରେ ଓ ରାହୁଲ ଡ୍ରାଭିଡ୍‌ଙ୍କ ଲୋକପ୍ରିୟ ଦଳ ୨୦୦୭ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିଛନ୍ତି। ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍‌ ଜିତିବାର ୧୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ଭାରତୀୟ ଦଳ ଓହ୍ଲାଇବ। ଗତ ଦେଢ଼ ଦଶନ୍ଧିରେ ସବୁଠୁ ସଫଳ ବ୍ୟାଟର ବିରାଟ କୋହଲି, ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଲମ୍ବା ଫର୍ମାଟରୁ ବିଦାୟ ନେଇଛନ୍ତି। ଏମାନଙ୍କ ବିଦାୟ ପରେ ଭାରତୀୟ ଟେଷ୍ଟ ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ଦେଖାଦେଇଛି। ଏଥିଯୋଗୁ ୨୫ ବର୍ଷୀୟ ନୂଆ ଅଧିନାୟକ ଗିଲଙ୍କ ଲାଗି ଇଂଲଣ୍ଡ ବିପକ୍ଷ ସିରିଜ୍‌ କୌଣସି ବଡ଼ ପରୀକ୍ଷାରୁ କମ୍‌ ହେବ ନାହିଁ। ଗିଲ୍‌ ଭାରତର ୩୭ତମ ଟେଷ୍ଟ ଅଧିନାୟକ। ଲମ୍ବା ଫର୍ମାଟରେ ବ୍ୟାଟର ଭାବେ ପ୍ରଦର୍ଶନ ଯୋଗୁ ତାଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି।

hiranchal ad1
Leave A Reply

Your email address will not be published.

one × four =