ଆଜି ଇଣ୍ଡିଜ ବିପକ୍ଷ ଅନ୍ତିମ ଦିନିକିଆ, କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

0 75

ନୂଆଦିଲ୍ଲୀ :ଆଜି ଘରୋଇ ୱେଷ୍ଟଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚରେ ଭାରତ ଜିତିଥିବାରୁ ଆସନ୍ତାକାଲିର ମ୍ୟାଚକୁ ଜିତି ଭାରତ ଇଣ୍ଡିଜ ବିପକ୍ଷରେ କ୍ଲିନ୍‌ ସୁଇପ କରିବାକୁ ଯୋଜନା କରିଛି । ଏହି ମ୍ୟାଚ୍‌ ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯିବ । ରବିବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଇଣ୍ଡିଜକୁ ଭାରତ ପରସ୍ତା କରି ଏକ ବିଶ୍ୱ ରେକର୍ଡ କରିଥିଲା । ଗୋଟିଏ ଦଳ ବିପକ୍ଷରେ କ୍ରମାଗତ ଦ୍ୱାଦଶ ସିରିଜ ଜିତି ଏହି ରେକର୍ଡ ଅର୍ଜନ କରିଛି ଭାରତ । ତୃତୀୟ ଦିନିକିଆରେ କୋଚ୍‌ ରାହୁଲ ଦ୍ରାବିଡ଼ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି । ତେବେ ଦଳର ସନ୍ତୁଳନ ବଜାୟ ରଖିବା ଉପରେ ସେ ମଧ୍ୟ ଗୁରୁତ୍ୱ ଦେବେ ।
ବ୍ୟାଟିଂ ବିଭାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରଥମ ଦୁଇଟି ମ୍ୟାଚରେ ଗିଲ ଭଲ ପ୍ରଦର୍ଶନ କରିଥିବାରୁ ଇଶାନ୍‌ ଓ ଋତୁରାଜଙ୍କୁ ପୁଣିଥରେ ଅପେକ୍ଷା କରିବାକୁ ପଡିବ । ଗତ ଦୁଇଟି ମ୍ୟାଚରେ ଗିଲ ୬୪ ଏବଂ ୪୩ ର ଦୁଇଟି ଉପଯୋଗୀ ଇନିଂସ ଖେଳିଥିଲେ । ଗାଇକୱାଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁରା ସିରିଜ୍‌ ଖେଳିବାର ସୁଯୋଗ ପାଇଥିଲେ ଯେଉଁଠାରେ ସେ ଦ୍ରୁତ ବୋଲରଙ୍କ ବିପକ୍ଷରେ ସଂଘର୍ଷ କରିଥିଲେ । ପୂର୍ବ ମ୍ୟାଚ୍‌ରେ ଶ୍ରେୟସ୍‌ ଆୟର ଏବଂ ସଞ୍ଜୁ ସାମସନ୍‌ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିବାବେଳେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଫଳତା ସତ୍ତେ୍ୱ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉ ଏକ ସୁଯୋଗ ଦିଆଯାଇପାରେ ।
ଶିଖର ଧାୱନଙ୍କ ସହ ଏହି ସିରିଜ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ଉପ-ଅଧିନାୟକ ଭାବରେ ମନୋନୀତ କରାଯାଇଥିଲା ଏବଂ ଅଲରାଉଣ୍ଡର ଭାବରେ ପ୍ରଥମ ପସନ୍ଦ ହୋଇଥିଲେ ମଧ୍ୟ ଆଣ୍ଠୁରେ ଆଘାତ ହେତୁ ପ୍ରଥମ ଦୁଇଟି ମ୍ୟାଚରୁ ବଞ୍ଚିତ ହୋଇଥିଲେ । ତୃତୀୟ ମ୍ୟାଚ୍‌ରେ ଖେଳିବା ପାଇଁ ଜାଡେଜା ଉପଲବ୍ଧ ହେବେ କି ନାହିଁ ତାହା ମଧ୍ୟ ନିଶ୍ଚିତ ନୁହେଁ । ସେପଟେ ଅକ୍ଷର ପଟେଲ ତାଙ୍କ ଅନୁପସ୍ଥିତିରେ ଦ୍ୱିତୀୟ ମ୍ୟାଚ୍‌ରେ ଅପରାଜିତ ୬୪ ରନ ସ୍କୋର କରିଥିଲେ । ଦଳ ପରିଚାଳନା ପଟେଲଙ୍କ ପ୍ରଦର୍ଶନକୁ ଅଣଦେଖା କରିପାରିବ ନାହିଁ ।
ଦ୍ରୁତ ବୋଲର ଅର୍ଶଦୀପ ସିଂ ଇଂଲଣ୍ଡରେ ଚାଲିଥିବା ଦିନିକିଆ ସମୟରେ ଜଙ୍ଘ ମାଂସପେଶୀରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ କିନ୍ତୁ ବର୍ତ୍ତମାନ ସେ ଫିଟ୍‌ ଅଛନ୍ତି ଏବଂ ବାମହାତୀ ଦ୍ରୁତ ବୋଲର ହୋଇଥିବାରୁ ତାଙ୍କୁ ଆଭେଶ ଖାନଙ୍କ ସ୍ଥାନରେ ସୁଯୋଗ ମିଳିପାରେ । ଦ୍ୱିତୀୟ ଦିନିକିଆରେ ଆଭେଶ ୬ ଓଭରରେ ୫୪ ରନ୍‌ ବ୍ୟୟ କରିଥିଲେ ଏବଂ କୌଣସି ୱିକେଟ୍‌ ପାଇନଥିଲେ । ଆଭେଶ ଏବଂ ପ୍ରସିଦ୍ଧ କ୍ରିଷ୍ଣା ସମାନ ପ୍ରକାର ବୋଲର ହୋଇଥିବାରୁ ଉଭୟଙ୍କୁ ଗୋଟିଏ ମ୍ୟାଚରେ ଦେଖିବାକୁ ମିଳିନପାରେ ।
ଅନ୍ୟ ପଟେ ଲଗାତାର ଦ୍ୱିତୀୟ ସିରିଜରେ କ୍ଲିନ୍‌ ସୁଇପ ହେବାର ଆଶଙ୍କା ଭିତରେ ରହିଛି ଇଣ୍ଡିଜ ଦଳ । ଦଳ ଏଏପର୍ଯ୍ୟନ୍ତ ଶାଇ ହୋପ, ନିକୋଲସ ପୁରାନ, ରୋଭମାନ ପାୱେଲ କିମ୍ବା ରୋମେରିଓଙ୍କ ଉପରେ ନିର୍ଭର କରିଛି । ଦଳ ଏପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟରେ ଭଲ ପ୍ରଦର୍ଶନ କରିନାହିଁ । ସିରିଜର ଶେଷ ମ୍ୟାଚରେ ଜେସନ୍‌ ହୋଲ୍ଡର ସାମିଲ ହୋଇପାରନ୍ତି । ଇଣ୍ଡିଜ ଦଳ ଗତ ସିରିଜରେ ବାଂଲାଦେଶଠାରୁ କ୍ଲିନ୍‌ ସୁଇପ ହୋଇଛି । ତେଣୁ ଆସନ୍ତାକାଲିର ମ୍ୟାଚରେ ବିଜୟୀ ହୋଇ ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି ଇଣ୍ଡିଜ ଦଳ ।

hiranchal ad1
Leave A Reply

Your email address will not be published.

9 + nine =