ନୂଆଦିଲ୍ଲୀ: ରବିବାର ଦିନ ଆବୁଧାବିର ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୧ ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା । ଆଫଗାନିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ସହ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ମଧ୍ୟ ଏହି ମ୍ୟାଚ୍ ଉପରେ ନଜର ରଖିଥିଲେ । ବାସ୍ତବରେ, ଯଦି ଆଫଗାନିସ୍ତାନ ଦଳ ଗତକାଲିର ମ୍ୟାଚରେ ବ୍ଲାକ୍ କ୍ୟାପ୍ସକୁ ପରାସ୍ତ କରିବାରେ ସଫଳ ହୋଇଥାନ୍ତା, ତେବେ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିବାର ସୁବର୍ଣ୍ଣ ସୁଯୋଗ ପାଇଥାନ୍ତା, କିନ୍ତୁ ତାହା ହୋଇ ନଥିଲା । ଗତକାଲିର ମ୍ୟାଚ୍ରେ କିୱି ଦଳ ଆଫଗାନିସ୍ତାନ ଦଳକୁ ୧୧ ଟି ବଲ ବାକି ଥାଇ ଆଠ ୱିକେଟରେ ପରାସ୍ତ କରିଛି । ଏଥି ସହିତ ନ୍ୟୁଜିଲାଣ୍ଡ ଦଳ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ।
ଆଫଗାନର ପରାଜୟ ପରେ ଭାରତୀୟ ଦଳର ସେମିଫାଇନାଲରେ ପ୍ରବେଶ କରିବାର ସ୍ୱପ୍ନ ଅଧୁରା ରହିଛି । ବିରାଟ ସେନା ଟି -୨୦ ବିଶ୍ୱକପ ୨୦୨୧ ର ‘ସୁପର ୧୨’ ରାଉଣ୍ଡରୁ ବାହାରିବା ପରେ କ୍ୟାପଟେନ କୋହଲିଙ୍କ ଏକ ପୁରୁଣା ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାସ୍ତବରେ ସେ ଏସିଆ କପ୍ ସମୟରେ ୨୦ ମାର୍ଚ୍ଚ ୨୦୧୨ ରେ ଏହି ଟୁଇଟ୍ କରିଥିଲେ । ସେହି ସମୟରେ ଟୁଇଟ୍ କରୁଥିବାବେଳେ କୋହଲି ଲେଖିଥିଲେ, ‘ଆସନ୍ତାକାଲି ଘରକୁ ଯିବା, ଭଲ ଲାଗୁନାହିଁ ।’
ସୂଚନାଯୋଗ୍ୟ ଯେ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୧ ରେ ଭାରତୀୟ ଦଳର ଗୋଟିଏ ମ୍ୟାଚ ବାକି ଅଛି, କିନ୍ତୁ ଏହି ମ୍ୟାଚ କେବଳ ଏକ ଆନୁଷ୍ଠାନିକ ମ୍ୟାଚ ହୋଇରହିଛି । ଯଦି ଭାରତୀୟ ଦଳ ଆଜି ନାମିବିଆ ବିପକ୍ଷ ମ୍ୟାଚ ଜିତିଲେ ବି ସେମିଫାଇନାଲକୁ ପ୍ରବେଶ କରିପାରିବ ନାହିଁ । କାରଣ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ଦଳ ଗ୍ରୁପ୍ ବିରୁ ଯଥାକ୍ରମେ ୧୦ ଏବଂ ଆଠ ପଏଣ୍ଟ ହାସଲ କରିଛନ୍ତି । ଅନ୍ୟପକ୍ଷରେ ଆଜିର ମ୍ୟାଚ୍ର ଭାରତୀୟ ଦଳ ଜିତିଲେ ମଧ୍ୟ ଏହାର ମାତ୍ର ୬ ପଏଣ୍ଟ ହାସଲ କରିବାରେ ସକ୍ଷମ ହେବ ।